ଗାଜା ଯୁଦ୍ଧ ଓ ଇସ୍ରାଏଲ ବିରୋଧୀ ସମାଲୋଚକଙ୍କୁ ଆମେରିକାରୁ ବିତାଡ଼ିତ କରିପାରିବେନି ଟ୍ରମ୍ପ: ଆମେରିକା କୋର୍ଟ
ୱାଶିଂଟନ:
ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ମତ ପ୍ରକାଶ କରୁଥିବା ଏବଂ ଇସ୍ରାଏଲର ନୀତିକୁ ସମାଲୋଚନା କରୁଥିବା ବିଦେଶୀ ଛାତ୍ର ଓ ଗବେଷକଙ୍କୁ ଆମେରିକାରୁ ଦେଶାନ୍ତର (Deport) କରିବା ପାଇଁ ଟ୍ରମ୍ପ ପ୍ରଶାସନର ଉଦ୍ୟମକୁ ଆମେରିକାର ଏକ ଫେଡେରାଲ କୋର୍ଟ ରୋକିଛନ୍ତି। ଅଦାଲତ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ “ବାକ୍ ସ୍ବାଧୀନତା (Free Speech) ସମସ୍ତଙ୍କର ଅଧିକାର, ଏହା କେବଳ ସରକାରଙ୍କ ମନୋନୀତ ବ୍ୟକ୍ତିଙ୍କ ପାଇଁ ନୁହେଁ”।
କାଲିଫୋର୍ନିଆର ଡିଷ୍ଟ୍ରିକ୍ଟ ଜଜ୍ ନୋଏଲ ୱାଇଜ୍ (Noël Wise) ଏକ ୯୦ ପୃଷ୍ଠାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, କେବଳ ଭିନ୍ନ ମତ ରଖୁଥିବା କାରଣରୁ ନାଗରିକ ନଥିବା ବିଦେଶୀ ଛାତ୍ରମାନଙ୍କର ଭିସା ବାତିଲ କରିବା କିମ୍ବା ସେମାନଙ୍କୁ ଦେଶରୁ କାଢ଼ିଦେବା ଅସଂବିଧାନିକ। ଏହି ପଦକ୍ଷେପ ଆମେରିକା ସମ୍ବିଧାନର ପ୍ରଥମ ଏବଂ ପଞ୍ଚମ ସଂଶୋଧନ (First & Fifth Amendments) ଅଧୀନରେ ମିଳୁଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।
ଅଦାଲତଙ୍କ ପ୍ରମୁଖ ଟିପ୍ପଣୀ:
-
ସ୍ବାଧୀନତା ସମସ୍ତଙ୍କର: “ଆମେରିକାରେ ବାକ୍ ସ୍ବାଧୀନତା ଆମେରିକାବାସୀଙ୍କର ଏକ ମୌଳିକ ଅଧିକାର। ଏହାକୁ ଛଡ଼ାଇ ନେବାର କୌଣସି ଅଧିକାର ସରକାରଙ୍କର ନାହିଁ”।
-
ଭୟର ବାତାବରଣ: ବିଦେଶୀ ଛାତ୍ର ଏବଂ ବିଶ୍ୱବିଦ୍ୟାଳୟ ସାମ୍ବାଦିକମାନଙ୍କୁ ଭୟଭୀତ କରି ନୀରବ କରିବା ପାଇଁ ସରକାର ଆଇନର ଗଲତ ବ୍ୟବହାର କରୁଥିଲେ।
-
ସମାନ ଅଧିକାର: ଆମେରିକାରେ ଆଇନଗତ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାଖରେ ମଧ୍ୟ ନିଜର ରାଜନୈତିକ ମତ ରଖିବାର ସମାନ ଅଧିକାର ରହିଛି।
ଷ୍ଟାନଫୋର୍ଡ ୟୁନିଭରସିଟିର ଛାତ୍ର ଖବରକାଗଜ ‘ଦି ଷ୍ଟାନଫୋର୍ଡ ଡେଲି‘ ଏବଂ କିଛି ବିଦେଶୀ ଛାତ୍ରଙ୍କ ପକ୍ଷରୁ ଦାୟର ଆବେଦନ ଆଧାରରେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ରାୟ ପରେ କ୍ୟାମ୍ପସଗୁଡ଼ିକରେ ଗାଜା ଯୁଦ୍ଧକୁ ନେଇ ସ୍ବର ଉତ୍ତୋଳନ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

