ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସଞ୍ଜୟ ବିଶ୍ୱାଳ
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ।
ଶନିବାର ଲୋକସମ୍ପର୍କ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ଉଷ୍ମ ସଂବର୍ଦ୍ଧନା ଜଣାଇଥିଲେ। ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ କଲାମୁଦ୍ଦିନ୍, ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର ଏବଂ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବିଶ୍ୱାଳ ବିଭାଗୀୟ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ସହଯୋଗ ଲୋଡ଼ିଛନ୍ତି। ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କର ନୂତନ କାର୍ଯ୍ୟଭାର ପାଇଁ ଶୁଭେଚ୍ଛା ଜଣାଯାଇଥିଲା।
ସୂଚନାଯୋଗ୍ୟ, ଶ୍ରୀ ବିଶ୍ୱାଳ ଏହା ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ। ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) ଏବଂ ‘କ୍ରୁଟ୍’ (CRUT) ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଜଣେ ଦକ୍ଷ ପ୍ରଶାସକ ଭାବେ ସେ ନିଜର ସୁନାମ ଅର୍ଜନ କରିଛନ୍ତି।

