୯୫% ଅଭିଯୋଗର ସମାଧାନ: ୨୦ତମ ଶୁଣାଣିରେ ୧୬ ଜଣ ଦୂରାରୋଗ୍ୟ ପୀଡ଼ିତଙ୍କୁ ମିଳିଲା ସହାୟତା
ଭୁବନେଶ୍ୱର:
ଲୋକଙ୍କ ସମସ୍ୟା ଶୁଣିବା ଓ ତା’ର ତୁରନ୍ତ ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ଶୁଣାଣି କାର୍ଯ୍ୟକ୍ରମରେ ସେ ଏହା ପ୍ରକାଶ କରିଛନ୍ତି।
ସକାଳୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଥମେ ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟ ପୀଡ଼ିତଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିଥିଲେ। ଏହି ଅବସରରେ ୧୬ ଜଣ ଦୂରାରୋଗ୍ୟ ପୀଡ଼ିତଙ୍କ ଚିକିତ୍ସା ପାଇଁ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୧୪.୫୦ ଲକ୍ଷ ଟଙ୍କାର ସହାୟତା ରାଶି ତୁରନ୍ତ ମଞ୍ଜୁର କରାଯାଇଥିଲା। ଆଜି ପ୍ରକୋଷ୍ଠରେ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ମାଧ୍ୟମରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପଞ୍ଜିକୃତ ହୋଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ୧୯ଟି ପାଳିରେ ଆସିଥିବା ୧୫,୩୨୭ଟି ଅଭିଯୋଗ ମଧ୍ୟରୁ ୯୫ ପ୍ରତିଶତ (୧୪,୫୧୯ଟି) ସମାଧାନ ହୋଇସାରିଛି। ସେହିପରି ଜିଲ୍ଲା, ତହସିଲ ଓ ବ୍ଲକ ସ୍ତରରେ ନିୟମିତ ଶୁଣାଣି ଯୋଗୁଁ ଜୁଲାଇ ଶେଷ ସୁଦ୍ଧା ଆସିଥିବା ୨,୬୯,୩୯୪ଟି ଅଭିଯୋଗ ମଧ୍ୟରୁ ୮୭ ପ୍ରତିଶତ ସମସ୍ୟାର ସମାଧାନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ୧୦ ଜଣ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଶୁଣିଥିଲେ।

