ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ CBI ତଦନ୍ତ ନିର୍ଦ୍ଦେଶ: ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ବଡ଼ ପଦକ୍ଷେପ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଦୁର୍ନୀତି ଅଭିଯୋଗର ଅପରାଧିକ ତଦନ୍ତ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସୋମବାର ସିବିଆଇ (CBI) କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ରାଜବୀର ସିଂହ ଘୁମନ୍ଙ୍କ ନାମରେ ଆସିଥିବା ସଙ୍ଗୀନ ଅଭିଯୋଗକୁ ନେଇ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଶୁଣାଇଛନ୍ତି
ପୂର୍ବରୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ପଞ୍ଜାବ ପୁଲିସକୁ ଚିଠି ଲେଖି OSD ରାଜବୀର ସିଂହ ଘୁମନ୍ଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୁପାରିଶ କରିଥିଲା। ହେଲେ ପଞ୍ଜାବ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଡଭୋକେଟ୍ ନିଖିଲ ସରାଫ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରିଥିଲେ।
ED ର ପ୍ରାଥମିକ ତଥ୍ୟ ଅନୁସାରେ, ନିତିନ ଗୋହେଲ ନାମକ ଜଣେ ବିଚୋଲିଆ/ମଧ୍ୟସ୍ଥି ସରକାରୀ ସୁବିଧା ସୁଯୋଗ ଦେବା ନାଁରେ ବେଆଇନ କାରବାର ଚଳାଇଥିଲେ। ଏଥିରେ ସରକାରୀ ବଦଳି, ଗୁପ୍ତ କାଗଜପତ୍ର ହସ୍ତାନ୍ତର, ବନ୍ଧୁକ ଲାଇସେନ୍ସ ମଞ୍ଜୁରୀ ଏବଂ ଜମିର ବ୍ୟବହାର ବଦଳାଇବା (CLU) ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି।
ମୁଖ୍ୟ ବିଚାରପତି ଅଶ୍ୱିନୀ କୁମାର ମିଶ୍ର ଏବଂ ବିଚାରପତି ରୋହିତ କାପୁରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସିବିଆଇକୁ ଏଫଆଇଆର୍ (FIR) ରୁଜୁ କରିବାକୁ କହିଛନ୍ତି। ଏହାସହ ଏକ ନିରପେକ୍ଷ ତଦନ୍ତ ପାଇଁ ପଞ୍ଜାବ ସରକାର ଏବଂ ପଞ୍ଜାବ ପୁଲିସ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।



