Bangkok Pub Inferno: 27 Dead, 63 Injured in Nightclub Fire/ବ୍ୟାଙ୍କକକ୍‌ ପବ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ, ୬୩ ଆହତ…

ବ୍ୟାଙ୍କକକ୍‌ ପବ୍‌ରେ ଭୟାବହ ଅଗ୍ନିକାଣ୍ଡ: ୨୭ ମୃତ, ୬୩ ଆହତ

ବ୍ୟାଙ୍କକକ୍‌, ୧୩ ଜୁଲାଇ 

ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକ୍‌ରେ ଗତ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି। ସହରର ଉତ୍ତର ଭାଗରେ ଥିବା ପ୍ରସିଦ୍ଧ ‘ନା ଲାଡ୍‌ପ୍ରାଓ’ (Na Ladprao) ପବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତିକମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସର୍କିଟ୍ ବ୍ରେକରରୁ ବିସ୍ଫୋରଣ, ଅନ୍ଧାରରେ ସୃଷ୍ଟି ହେଲା ଚାପା ଉତ୍ତେଜନା

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ସମୟରେ ପବ୍‌ରେ ସଙ୍ଗୀତର ଆସର ଚାଲିଥିବା ବେଳେ ହଠାତ୍ ଷ୍ଟେଜ୍ ପାଖରେ ଥିବା ଏକ ଇଲେକ୍ଟ୍ରିକ୍ ସର୍କିଟ୍ ବ୍ରେକରରୁ ଧୂଆଁ ବାହାରିଥିଲା। ଏହାର କିଛି ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ପବ୍‌ର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ବିଦ୍ୟୁତ ଚାଲିଯିବା ଯୋଗୁଁ ଚାରିଆଡ଼େ ଅନ୍ଧାର ହୋଇଯାଇଥିଲା ଏବଂ ପ୍ରାଣ ବିକଳରେ ଲୋକେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ମାତ୍ର କେଇ ମିନିଟ୍ ଭିତରେ ସାରା ଗୃହ କଳା ଧୂଆଁରେ ବୁଡ଼ି ଯାଇଥିଲା।

ଶୌଚାଳୟରୁ ମିଳିଲା ଅଧିକାଂଶ ମୃତଦେହ

ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଅନୁତିନ ଚାର୍ନଭିରାକୁଲ ଗଣମାଧ୍ୟମକୁ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କ ମୃତଦେହ ପବ୍‌ର ପଛପଟେ ଥିବା ଶୌଚାଳୟ (Restrooms) ଭିତରୁ ଉଦ୍ଧାର କରାଯାଇଛି। ଧୂଆଁ ଏବଂ ଅନ୍ଧାର ଯୋଗୁଁ ଦିଗହରା ହୋଇ ନିଜକୁ ବଞ୍ଚାଇବା ପାଇଁ ସେମାନେ ସେଠାରେ ଆଶ୍ରୟ ନେଇଥିଲେ, କିନ୍ତୁ ବିଷାକ୍ତ ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଉଦ୍ଧାର କାର୍ଯ୍ୟ ଜାରି, ଚିହ୍ନଟ ପ୍ରକ୍ରିୟା ଜଟିଳ

ଅଗ୍ନିଶମ ବାହିନୀର ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। Bangkok Gov. Chadchart Sittipunt   ଜଣାଇଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନେକ ଲୋକ ଅଚେତ ଅଛନ୍ତି ଏବଂ ସେମାନଙ୍କ ପାଖରେ କୌଣସି ପରିଚୟ ପତ୍ର (ID) ନଥିବାରୁ ମୃତାହତଙ୍କୁ ଚିହ୍ନଟ କରିବାରେ ପ୍ରଶାସନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେଥିପାଇଁ ଘଟଣାସ୍ଥଳରେ ସେମାନଙ୍କ ସମ୍ପର୍କୀୟଙ୍କ ସୂଚନା ସଂଗ୍ରହ ପାଇଁ ଏକ ହେଲ୍ପ-ଡେସ୍କ ବା ପଞ୍ଜୀକରଣ କେନ୍ଦ୍ର ଖୋଲାଯାଇଛି।

ସୂଚନାଯୋଗ୍ୟ ଯେ, ଥାଇଲ୍ୟାଣ୍ଡରେ ଏଭଳି ନାଇଟ୍-କ୍ଲବ୍ ଦୁର୍ଘଟଣା ନୂଆ ନୁହେଁ। ଏହାପୂର୍ବରୁ ୨୦୨୨ରେ ଏକ ମ୍ୟୁଜିକ୍ ପବ୍‌ରେ ନିଆଁ ଲାଗି ୧୪ ଜଣ ଏବଂ ୨୦୦୯ ମସିହା ନୂତନ ବର୍ଷ ପାଳନ ଅବସରରେ ବ୍ୟାଙ୍କକକ୍‌ର ସାନ୍ତିକା ନାଇଟ୍‌କ୍ଲବ୍‌ରେ ବାଣ ଫୁଟିବା ଯୋଗୁଁ ୬୬ ଜଣଙ୍କର ପ୍ରାଣହାନି ଘଟିଥିଲା। ବର୍ତ୍ତମାନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *