ମହାକାଶକୁ ଉଡ଼ାଣ ଭରିବେ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍: ମଙ୍ଗଳବାର ଆଇଏସଏସ ଅଭିମୁଖେ ଯାତ୍ରା
ନୂଆଦିଲ୍ଲୀ:ଭାରତୀୟ ବଂଶୋଦ୍ଭବ ତଥା ନାସା (NASA) ମହାକାଶଚାରୀ ଡାକ୍ତର ଅନିଲ ମେନନ୍ଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ମଙ୍ଗଳବାର ଦିନ ସେ ନିଜ ଜୀବନର ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିବେ। ରୁଷିଆର ମହାକାଶ ସଂସ୍ଥା ରୋସକସମୋସ (Roscosmos) ର ‘ସୋୟୁଜ୍ MS-29’ (Soyuz MS-29) ମହାକାଶ ଯାନ ଜରିଆରେ ସେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରିବେ। କାଜାଖସ୍ତାନର ଐତିହାସିକ ବାଇକୋନୁର କସମୋଡ୍ରୋମରୁ ଭାରତୀୟ ସମୟ ରାତି ପ୍ରାୟ ୮:୧୭ (୧୦:୪୭ AM EDT) ରେ ଏହି ରକେଟ୍ ଉତକ୍ଷେପଣ କରାଯିବାର କାର୍ଯ୍ୟସୂଚୀ ରହିଛି।
୪୯ ବର୍ଷୀୟ ଅନିଲ ମେନନ୍ ଏହି ମିଶନରେ ରୁଷର ଦୁଇ ଜଣ ଅଭିଜ୍ଞ ମହାକାଶଚାରୀ ପ୍ୟୋଟ୍ର ଦୁବ୍ରୋଭ ଏବଂ ଆନ୍ନା କିକିନାଙ୍କ ସହ ସାମିଲ ହେବେ।ଏହା ଏକ ଦୀର୍ଘକାଳୀନ ୮ ମାସିଆ ଗବେଷଣା ମିଶନ ଅଟେ। ଏହି ସମୟ ମଧ୍ୟରେ ସେ ‘ଏକ୍ସପେଡିସନ ୭୪ ଏବଂ ୭୫’ (Expeditions 74 & 75) ରେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବେ। ରକେଟ୍ ଉତକ୍ଷେପଣର ମାତ୍ର ୩ ଘଣ୍ଟା ମଧ୍ୟରେ ଏହି ମହାକାଶ ଯାନ ସ୍ୱୟଂଚାଳିତ ଭାବେ ISS ର ପ୍ରିଚାଲ (Prichal) ମଡ୍ୟୁଲ୍ ସହ ଯୋଡ଼ି ହୋଇଯିବ।
ଡାକ୍ତରୀ ବିଦ୍ୟାରୁ ମହାକାଶ ଯାତ୍ରା: ଅନିଲଙ୍କ ପ୍ରେରଣାଦାୟୀ କାହାଣୀ
ଆମେରିକାର ମିନିଆପୋଲିସରେ ଜନ୍ମିତ ଅନିଲ ମେନନ୍ଙ୍କ କ୍ୟାରିୟର ବେଶ ପ୍ରେରଣାଦାୟୀ। ସେ ଏକାଧାରରେ ଜଣେ ଜରୁରୀକାଳୀନ ଚିକିତ୍ସା ବିଶେଷଜ୍ଞ (Emergency Medicine Physician) ଏବଂ ଆମେରିକା ସ୍ପେସ୍ ଫୋର୍ସର ଜଣେ କର୍ଣ୍ଣେଲ୍। ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ବେଶ ଆଗରେ:
-
ହାର୍ଭାର୍ଡ ୟୁନିଭରସିଟିରୁ ନ୍ୟୁରୋବାୟୋଲୋଜିରେ ସ୍ନାତକ।
-
ଷ୍ଟାନଫୋର୍ଡ ୟୁନିଭରସିଟିରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର।
-
ଷ୍ଟାନଫୋର୍ଡ ମେଡିକାଲ ସ୍କୁଲରୁ ମେଡିସିନରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।
ତାଙ୍କ ପରିବାର ମଧ୍ୟ ମହାକାଶ ବିଜ୍ଞାନ ସହ ଗଭୀର ଭାବେ ଜଡ଼ିତ। ତାଙ୍କ ପତ୍ନୀ ଆନ୍ନା ମେନନ୍ ମଧ୍ୟ ଜଣେ ମହାକାଶଚାରୀ ଏବଂ ସେ ୨୦୨୪ ମସିହାରେ ସ୍ପେସ୍ଏକ୍ସ (SpaceX) ର ପ୍ରସିଦ୍ଧ ପୋଲାରିସ୍ ଡନ୍ (Polaris Dawn) ମିଶନର ଅଂଶବିଶେଷ ଥିଲେ।
ମହାକାଶରେ ଥିବା ସମୟରେ ଡାକ୍ତର ଅନିଲ ମେନନ୍ ମାନବ ଶରୀର ଉପରେ ଶୂନ୍ୟ ମାଧ୍ୟାକର୍ଷଣର ପ୍ରଭାବ ଏବଂ ଭବିଷ୍ୟତର ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନ ପାଇଁ ଆବଶ୍ୟକ ଜରୁରୀକାଳୀନ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରିବେ।

