ୟୁଏଇର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ଭାରତୀୟ ପାଇଲଟ୍ ସ୍ମିଥ୍ ମାଚ୍ଛାର; ଆକାଶମାର୍ଗରେ ଦେଖାଇଥିଲେ ଅସାଧାରଣ ସାହସିକତା
ନୂଆଦିଲ୍ଲୀ / ଦୁବାଇ:
ଆକାଶମାର୍ଗରେ ବିମାନ ଓ ଯାତ୍ରୀଙ୍କ ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଥିବା ଭାରତୀୟ ਪାଇଲଟ୍ କ୍ୟାପ୍ଟେନ୍ ସ୍ମିଥ୍ ମାଚ୍ଛାର ଏବଂ ତାଙ୍କ ଫ୍ଲାଇ-ଦୁବାଇ (flydubai) କ୍ରୁ ସଦସ୍ୟଙ୍କୁ ୟୁଏଇ ସରକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ସେମାନଙ୍କୁ ପ୍ରତିଷ୍ଠିତ ‘ଫାର୍ଷ୍ଟ-କ୍ଲାସ୍ ଅର୍ଡର ଅଫ୍ ଜାୟେଦ୍-୨’ ସମ୍ମାନ ପ୍ରଦାନ କରିଛନ୍ତି।
ଆବୁଧାବିର କସ୍ର ଅଲ୍ ବାହର ପ୍ରାସାଦରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ୟୁଏଇର ଶୀର୍ଷ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହାମଦାନ୍ ବିନ୍ ମହମ୍ମଦ ଏହି ପଦକ ପ୍ରଦାନ କରିଥିଲେ।
କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା?
ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଫ୍ଲାଇ-ଦୁବାଇ (FZ1073) ବିମାନରେ ୧୭୪ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ଉଡ଼ାଣ ସମୟରେ କୋକପିଟ୍ ଭିତରେ ସୃଷ୍ଟି ହୋଇଥିବା ଏକ ବଡ଼ ସୁରକ୍ଷା ସଙ୍କଟକୁ କ୍ୟାପ୍ଟେନ୍ ସ୍ମିଥ୍ ମାଚ୍ଛାର ଏବଂ ତାଙ୍କ ଟିମ୍ ଅତ୍ୟନ୍ତ ଧୈର୍ଯ୍ୟ ଓ ସାହସର ସହ ନିୟନ୍ତ୍ରଣ କରିଥିଲେ।
ଘଟଣା ସମୟରେ କ୍ୟାପ୍ଟେନ୍ ମାଚ୍ଛାର ଆହାତ ହୋଇଥିଲେ ସୁଦ୍ଧା ନିଜ ଜୀବନକୁ ବାଜି ଲଗାଇ ବିମାନଟିକୁ ସୌଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଜରୁରୀ ଅବତରଣ (Emergency Landing) କରାଇଥିଲେ। ତାଙ୍କର ଏହି ତ୍ୱରିତ ନିଷ୍ପତ୍ତି ଯୋଗୁଁ ବିମାନରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
କ୍ୟାପ୍ଟେନ୍ ସ୍ମିଥ୍ଙ୍କ ଏହି ଅସାଧାରଣ ବୀରତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।



