ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ: ଭାରତୀୟ ଓ ବିଦେଶୀଙ୍କ ପାଇଁ ଆସୁଛି ଅଲଗା ରଙ୍ଗର DL; ଟେଷ୍ଟ ବି ହେବ କଡ଼ା
ନୂଆଦିଲ୍ଲୀ:
ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମକୁ ଅଧିକ କଡ଼ାକଡ଼ି ଓ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କେନ୍ଦ୍ର ସରକାର ‘ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ସ’ରେ କିଛି ବଡ଼ ଧରଣର ସଂଶୋଧନ ପାଇଁ ଏକ ଚିଠା ନୋଟିଫିକେସନ୍ (Draft Notification) ଜାରି କରିଛନ୍ତି।
ଏହି ନୂଆ ପ୍ରସ୍ତାବ ଅନୁଯାୟୀ, ଏବେ ଭାରତୀୟ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଲଗା ଅଲଗା ରଙ୍ଗ (Colour Coding) ବ୍ୟବସ୍ଥା କରାଯିବ। ଏହାସହ ଲାଇସେନ୍ସରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଗରିକତା (Nationality) ସ୍ପଷ୍ଟ ଭାବେ ଲେଖାଯିବ।
ନକଲି କାଗଜପତ୍ର ରୋକିବାକୁ ସରକାରଙ୍କ କଡ଼ା ନଜର
ପୂର୍ବରୁ ଆଡ୍ରେସ୍ କିମ୍ବା ବୟସ ପ୍ରମାଣ ପାଇଁ ନୋଟାରୀ କିମ୍ବା ମ୍ୟାଜିଷ୍ଟ୍ରେଟଙ୍କ ଆଗରେ ଦିଆଯାଉଥିବା ଆଫିଡେଭିଟ୍ (Affidavit) ଓ ଲାଇଫ୍ ଇନ୍ସୁରାନ୍ସ ପଲିସିକୁ ଗ୍ରହଣ କରାଯାଉଥିଲା। ମାତ୍ର ଏହାର ଅପବ୍ୟବହାର କରି କିଛି ଲୋକ ନକଲି ନାଁ-ଠିକଣାରେ DL ବନାଇଥିବା ନଜରକୁ ଆସିବା ପରେ, ସରକାର ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏବେ ଆଡ୍ରେସ୍ ପ୍ରମାଣ ପାଇଁ କେବଳ ଆଧାର କାର୍ଡ, ଭୋଟର ଆଇଡି, ଇ-ରାସନ୍ କାର୍ଡ, ୩ ମାସର ବିଜୁଳି/ଗ୍ୟାସ୍ ବିଲ୍ ଏବଂ ବିଦେଶୀଙ୍କ ପାଇଁ ବୈଧ ରହଣି ପ୍ରମାଣପତ୍ର ଜରୁରୀ ହେବ। ସେହିପରି ବୟସ ପ୍ରମାଣ ପାଇଁ ପାସପୋର୍ଟ, ମାଟ୍ରିକ୍ ସାର୍ଟିଫିକେଟ୍ କିମ୍ବା ଜନ୍ମ ପ୍ରମାଣପତ୍ର ଆବଶ୍ୟକ ହେବ।
ଅନ୍ଲାଇନ୍ ପରୀକ୍ଷାରେ ପାସ୍ ମାର୍କ ବଢ଼ିଲା
ଡ୍ରାଇଭିଂ ଶିଖୁଥିବା ଲୋକଙ୍କ ପାଇଁ ସୁରକ୍ଷା ନିୟମକୁ ଅଧିକ କଡ଼ା କରାଯାଇଛି।
-
ଅନ୍ଲାଇନ୍ରେ ଦେବାକୁ ପଡ଼ୁଥିବା ‘ସେଫ୍-ଡ୍ରାଇଭିଂ’ ପରୀକ୍ଷାରେ ପାସ୍ ମାର୍କକୁ ୬୦% ରୁ ବଢ଼ାଇ ୭୫% କରିବାକୁ ପ୍ରସ୍ତାବ ଦିଆଯାଇଛି।
-
ଏହି ଅନ୍ଲାଇନ୍ ଟ୍ୟୁଟୋରିଆଲ୍ ଅତିକମରେ ୩୦ ମିନିଟ୍ର ହେବ।
-
ଲାଇସେନ୍ସରେ ଗାଡ଼ି ଚାଳକଙ୍କ ରକ୍ତ ବର୍ଗ (Blood Group), ମୋବାଇଲ୍ ନମ୍ବର ଏବଂ ଜରୁରୀକାଳୀନ ସମ୍ପର୍କ ନମ୍ବର (Emergency Contact) ରହିବା ବାଧ୍ୟତାମୂଳକ ହେବ।
ଆଧାର ଲିଙ୍କ୍ କଲେ ମାଗଣା ସେବା ଓ ସମୟ ସୀମା
ଯଦି ଆପଣ ନିଜ ଆଧାର କାର୍ଡ ଜରିଆରେ ଅନ୍ଲାଇନ୍ ଯାଞ୍ଚ (Aadhaar Authentication) କରି ନାଁ, ଠିକଣା କିମ୍ବା ମୋବାଇଲ ନମ୍ବର ବଦଳାଇବେ, ତେବେ ସେଥିପାଇଁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ।
ଏହାସହିତ, ଠିକଣା କିମ୍ବା ଅନ୍ୟାନ୍ୟ ସୂଚନା ବଦଳାଇବା ପାଇଁ ଆବେଦନ କଲେ ପରିବହନ ପ୍ରାଧିକରଣକୁ ୧୫ ଦିନ ଭିତରେ ତାହା ମଞ୍ଜୁର କିମ୍ବା ନାମଞ୍ଜୁର କରିବାକୁ ପଡ଼ିବ। ଯଦି ଆଡ୍ରେସ୍ ବଦଳାଇବା ଆବେଦନ ୩୦ ଦିନ ପର୍ଯ୍ୟନ୍ତ ନିଷ୍ପତ୍ତି ନନିଆଯାଇ ପଡ଼ିରହେ, ତେବେ ତାହା ସ୍ୱତଃ ପ୍ରବୃତ୍ତ (Deemed Approved) ମଞ୍ଜୁର ହୋଇଯାଇଛି ବୋଲି ଧରାଯିବ।



