ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ: କ୍ୟାଡର ସୁଦୃଢ଼ୀକରଣ ଓ ଡିଜିଟାଲ ଜନସମ୍ପର୍କ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଭାରତୀୟ ବିଦ୍ୟା ଭବନ ପରିସରରେ ଓଡ଼ିଶା ସୂଚନା ସେବା ସଂଘ (OISA) ର ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସୂଚନା ସେବା ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।
ଏହି ଅବସରରେ “ଡିଜିଟାଲ ଯୁଗରେ ଜନସମ୍ପର୍କ: ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ବଦଳୁଥିବା ଦାୟିତ୍ୱ, ଆହ୍ୱାନ ଓ ସମ୍ଭାବନା” ଶୀର୍ଷକ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେଉରିଆ ସମ୍ମାନିତ ଅତିଥି ଏବଂ IIMC ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନୂତନ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ କାମ କରିବା ଓ ଅପପ୍ରଚାରର ମୁକାବିଲା କରିବା ଉପରେ ଗୁରୁତ୍ୱରୋପ କରିଥିଲେ।
ଉତ୍ସବରେ ବିଭାଗରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ପରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ କ୍ୟାଡର ସୁଦୃଢ଼ୀକରଣ, ପ୍ରଶିକ୍ଷଣ ଏବଂ ଅଧିକାରୀମାନଙ୍କ ବୃତ୍ତିଗତ ବିକାଶ ନେଇ ଆଲୋଚନା ହୋଇଥିଲା। ଶେଷରେ ରଙ୍ଗାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କବିତା ଆବୃତ୍ତି ସମସ୍ତଙ୍କୁ ମନୋମୁଗ୍ଧ କରିଥିଲା।



