ବର୍ଷକୁ ୩,୦୦୦ କୋଟି ଟଙ୍କାର ଟିକସ ଦେଉଛି BCCI: ଦେବଜିତ୍ ସାଇକିଆ
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ବାର୍ଷିକ ହାରାହାରି ୩,୦୦୦ କୋଟି ଟଙ୍କାର ଆୟକର ସରକାରଙ୍କୁ ଦେଉଛି। ମୁମ୍ବାଇରେ ଆୟୋଜିତ ବୋର୍ଡର ୯୫ତମ ବାର୍ଷିକ ସାଧାରଣ ସଭା (AGM) ଶେଷ ହେବା ପରେ BCCI ଯୁଗ୍ମ ସମ୍ପାଦକ ଦେବଜିତ୍ ସାଇକିଆ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ସୁପ୍ରିମକୋର୍ଟରେ ‘ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ’କୁ ନେଇ ଚାଲିଥିବା ଶୁଣାଣି ମଧ୍ୟରେ ସାଇକିଆ ଏହି ବକ୍ତବ୍ୟ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶର ଅନ୍ୟ କ୍ରୀଡ଼ା ସଂଘଗୁଡ଼ିକ ପରି BCCI ସରକାରଙ୍କଠାରୁ କୌଣସି ଅନୁଦାନ ବା ଆର୍ଥିକ ସହାୟତା ନିଏ ନାହିଁ। ବରଂ ବୋର୍ଡ ନିଜ ବଳରେ ଚାଲିବା ସହ ସରକାରଙ୍କୁ ବଡ଼ ପରିମାଣର ଟିକସ ଦେଇ ଆସୁଛି।
ନୂଆ କ୍ରୀଡ଼ା ଆଇନ (Sports Act) ବିଷୟରେ ସେ କହିଛନ୍ତି ଯେ, ଏହି ଆଇନ ଅଧୀନରେ କ୍ରିକେଟକୁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସ୍ବତନ୍ତ୍ର ଭାବେ ସାମିଲ (Designated Sport) କରାଯାଇ ନାହିଁ। ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ BCCI ସେହି ନିୟମାବଳୀ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆସନ୍ତା ଅକ୍ଟୋବର ୨୭ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ବେଳେ ବୋର୍ଡ ନିଜର ଆନୁଷ୍ଠାନିକ ପକ୍ଷ ରଖିବ।


