ୟୁଏଇ ଗସ୍ତ ଶେଷ: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ପୁଞ୍ଜି, ସୃଷ୍ଟି ହେବ ୬ ଲକ୍ଷରୁ ଅଧିକ ନିଯୁକ୍ତି
ଦୁବାଇ/ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ୟୁଏଇ (UAE) ଗସ୍ତ ସଫଳତାର ସହ ଶେଷ ହୋଇଛି। ଓଡ଼ିଶାକୁ ଭାରତର ପରବର୍ତ୍ତୀ ପ୍ରମୁଖ ଉତ୍ପାଦନ ଓ ପୁଞ୍ଜିନିବେଶ ପଣ୍ଡ ଦେଶ ଭାବେ ଗଢ଼ି ତୋଳିବା ପାଇଁ ହୋଇଥିବା ଏହି ଅଭିଯାନରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏହି ଗସ୍ତ କାଳରେ ମୋଟ ୨,୪୩,୧୬୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏହାଦ୍ୱାରା ରାଜ୍ୟରେ ୬,୧୮,୭୨୫ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆବୁଧାବୀ ଓ ଦୁବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକମାନଙ୍କ ସହ ୪୬ଟି ୱାନ୍-ଅନ୍-ୱାନ୍ ବୈଠକ ଏବଂ ୬ଟି ରାଉଣ୍ଡ ଟେବୁଲ ଆଲୋଚନା କରିଥିଲେ। ଏହାମାଧ୍ୟମରେ ମୋଟ ୮ଟି ବୁଝାମଣାପତ୍ର (MoU) ଏବଂ ୧୬ଟି ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି।
ଦୁବାଇରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ – ୨୦୨୬’ରେ ପ୍ରାୟ ୪୦୦ ରୁ ଅଧିକ ବ୍ୟବସାୟୀ ଯୋଗ ଦେଇଥିଲେ। ଗ୍ରୀନ୍ ଏନର୍ଜି, AI ଡାଟା ସେଣ୍ଟର, ଏଲ୍ଏନ୍ଜି (LNG) ସଂରକ୍ଷଣ, ଷ୍ଟିଲ, ଜାହାଜ ମରାମତି, ସାର ଓ ରାସାୟନିକ ପଦାର୍ଥ ଏବଂ ଆବାସିକ ଗୃହ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରରେ ବିଦେଶୀ କମ୍ପାନୀଗୁଡ଼ିକ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ବଡ଼ ସୁଯୋଗ ରହିଥିବା ନେଇ ଆଲୋଚନା ହୋଇଥିଲା।
ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଦୁବାଇରେ ରହୁଥିବା ୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେଠାରେ ଓଡ଼ିଶାର ସଂସ୍କୃତି ଓ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ODOP) ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ସରକାର ନିବେଶକମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବେ। ସେହିପରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଓଡ଼ିଶା ଏବେ କେବଳ ପୁଞ୍ଜି ନୁହେଁ, ବରଂ ନୂଆ ପ୍ରଯୁକ୍ତିବିଦ୍ୟା ଓ ଦୀର୍ଘସ୍ଥାୟୀ ବିକାଶ ଆଡ଼କୁ ଆଗେଇ ଚାଲିଛି।

