‘ଖେଳାଳିମାନେ ମେସିନ୍ କି ଆଖୁ ନୁହନ୍ତି’: BCCI ଓ ICC କୁ ଗାଭାସ୍କରଙ୍କ ସିଧା କଥା
ଭାରତୀୟ କ୍ରିକେଟରମାନଙ୍କ ଉପରେ ପଡ଼ୁଥିବା ଅତ୍ୟାଧିକ ମ୍ୟାଚ୍ର ଚାପ ଏବଂ କ୍ରମାଗତ ଖେଳାଳି ଆଘାତପ୍ରାପ୍ତ ହେବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର। ନିଜର ଏକ କଲମରେ ସେ BCCI ଏବଂ ICC କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି।
ଗାଭାସ୍କର ଲେଖିଛନ୍ତି ଯେ, ୨୦୨୭ରୁ ଆରମ୍ଭ ହେବାକୁ ଥିବା ଆଗାମୀ ୪ ବର୍ଷର ଆନ୍ତର୍ଜାତୀୟ କ୍ୟାଲେଣ୍ଡର ପ୍ରସ୍ତୁତ କଲାବେଳେ କ୍ରିକେଟରଙ୍କ ଶାରୀରିକ ଓ ମାନସିକ ଚାପ ପ୍ରତି ଧ୍ୟାନ ଦେବା ଜରୁରୀ। “ଭାରତୀୟ ଖେଳାଳିମାନେ କୌଣସି ମେସିନ୍ କିମ୍ବା ଆଖୁ ନୁହନ୍ତି ଯେ ସେମାନଙ୍କୁ ପେଡ଼ି ଶେଷ ଟୋପା ଯାଏଁ ରସ ବାହାର କରାଯିବ,” ବୋଲି ସେ କହିଛନ୍ତି।
ଏହା ସହ ଭାରତର ‘ବେଞ୍ଚ ଷ୍ଟ୍ରେନ୍ଥ’ (ସଂରକ୍ଷିତ ଖେଳାଳି) କୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କରଙ୍କ କହିବା କଥା, “ଟିମ୍ ଇଣ୍ଡିଆ ପୁରା ଭାରତୀୟ କ୍ରିକେଟ୍ ନୁହେଁ, ବରଂ ତାହାର ଏକ ଉତ୍ପାଦ ମାତ୍ର।” ଆମ ପାଖରେ ୩ଟି ଅଲଗା ଟିମ୍ ଗଢ଼ିବା ପାଇଁ ଖେଳାଳି ଥାଇପାରନ୍ତି, ହେଲେ ସେମାନଙ୍କ ମଧ୍ୟରୁ ପ୍ରକୃତ ବିଶ୍ୱସ୍ତରୀୟ ଟ୍ରଫି ଜିତିବାର କ୍ଷମତା କେତେ ଜଣଙ୍କର ଅଛି ତାହା ଚିନ୍ତାର ବିଷୟ।
ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ତାରକା ଖେଳାଳିଙ୍କ କାର୍ଯ୍ୟଭାର କମାଇଲେ ହେବନାହିଁ, ବରଂ ଘରୋଇ କ୍ରିକେଟ୍ (Domestic Cricket) କୁ ଅଧିକ ମଜବୁତ ନକଲେ ଆଗାମୀ ଦିନରେ ବିଶ୍ୱବିଜୟୀ ଖେଳାଳି ବାହାରିବା ମୁସ୍କିଲ ହୋଇପଡ଼ିବ।

