ଶିଆଳି ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା: ଦୁର୍ବୁତ୍ତଙ୍କୁ ଗିରଫ ଦାବିରେ ବିଜେଡିର ଗର୍ଜନ, ଶୁକ୍ରବାର ଘଟଣାସ୍ଥଳ ପରିଦର୍ଶନ କରିବ ସ୍ୱତନ୍ତ୍ର ଟିମ୍
ଭୁବନେଶ୍ୱର:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ର ପ୍ରସିଦ୍ଧ ଶିଆଳି ବେଳାଭୂମି ନିକଟରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ଏହାକୁ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତା ପ୍ରତି ଅପମାନ ବୋଲି କୁହାଯାଇଛି।
ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଶିଆଳି ବେଳାଭୂମି ରାଜ୍ୟର ଏକ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ। ଗତ ୯ ତାରିଖ ରାତିରେ କିଛି ଅସାମାଜିକ ତତ୍ତ୍ୱ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଥାନାରେ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ପୋଲିସ ଦୁର୍ବୁତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ସରକାର ତୁରନ୍ତ ଏହି ଘଟଣାରେ ଜଡ଼ିତ ଅପରାଧୀଙ୍କୁ ଗିରଫ କରିବା ସହ ଭଙ୍ଗାଯାଇଥିବା ପ୍ରତିମୂର୍ତ୍ତିର ପୁନଃସ୍ଥାପନ ନକଲେ ବିଜେଡି ରାଜପଥକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।
ଏହି ଘଟଣାର ଅନୁସନ୍ଧାନ ଓ ପରିସ୍ଥିତିର ସମୀକ୍ଷା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଶୁକ୍ରବାର ଶିଆଳି ଗସ୍ତ କରିବେ। ପ୍ରଶାନ୍ତ ମୁଦୁଲିଙ୍କ ସଂଯୋଜନାରେ ଗଠିତ ଏହି ଟିମ୍ରେ ଚିରଞ୍ଜୀବ ବିଶ୍ୱାଳ, ବିଧାୟକ ଶାରଦା ପ୍ରସନ୍ନ ଜେନା, ସମ୍ବିତ ରାଉତରାୟ, ଡ. ରାଜଶ୍ରୀ ମଲ୍ଲିକ, ମିନତୀ ବେହେରା, ଲୋରା ମହାପାତ୍ର, ଅରିନ୍ଦମ ସର୍ଖେଲ ଓ ନାରାୟଣ ଜେନା ପ୍ରମୁଖ ରହିଛନ୍ତି। ଏହି ପ୍ରତିନିଧି ଦଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଜଗତସିଂହପୁର ଏସ୍ପି ଏବଂ ଆଇଆଇସିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ।

