ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ପାଇଁ ନୂଆ ନିୟମ: ଏବେ ଅନଲାଇନ୍ରେ ହେବ ସବୁ କାମ, ଜିଆଇଏସ୍ ମ୍ୟାପିଂ ଜରିଆରେ ରହିବ କଡ଼ା ନଜର
ଭୁବନେଶ୍ୱର:
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬’ କୁ ମଞ୍ଜୁରୀ ମିଳିଛି | ଏହି ନୂଆ ନିୟମ ଫଳରେ ୨୦୦୩ ଓ ୨୦୧୯ର ପୁରୁଣା ନୀତି ବଦଳିବ |
ନୂଆ ନିୟମର ମୁଖ୍ୟ କଥା:
-
ସମ୍ପୂର୍ଣ୍ଣ ଅନଲାଇନ୍ ପ୍ରକ୍ରିୟା: ଜମି ଅଧିଗ୍ରହଣ, ବନ୍ଦୋବସ୍ତ ଓ ଆବେଦନ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ହେବ | ଫଳରେ ଆବେଦନକାରୀଙ୍କୁ ବାରମ୍ବାର ସରକାରୀ ଦଫତର ଦୌଡ଼ିବାକୁ ପଡ଼ିବ ନାହିଁ |
-
ଜିଆଇଏସ୍ (GIS) ମ୍ୟାପିଂ: ମହାପ୍ରଭୁଙ୍କ ସମସ୍ତ ଜମିର ଡିଜିଟାଲ୍ ମ୍ୟାପିଂ କରାଯିବ | ଏହାକୁ ରାଜସ୍ୱ ବିଭାଗର ‘ଭୂଲେଖ’ ଓ ‘ଭୂନକ୍ସା’ ସହ ଯୋଡ଼ାଯିବ, ଯାହା ଦ୍ୱାରା ବେଆଇନ ଜବରଦଖଲ ରୋକାଯାଇପାରିବ |
-
ମୂଲ୍ୟ ନିର୍ଦ୍ଧାରଣ: ଜମିର ମୂଲ୍ୟ ବେଞ୍ଚମାର୍କ ଭାଲ୍ୟୁ (BMV) କିମ୍ବା ଆଭରେଜ୍ ଲ୍ୟାଣ୍ଡ୍ ସେଲ୍ ଷ୍ଟାଟିଷ୍ଟିକ୍ସ (ALSS) ମଧ୍ୟରୁ ଯେଉଁଟି ଅଧିକ ହେବ, ସେହି ଅନୁସାରେ ସ୍ଥିର କରାଯିବ | ବ୍ୟବସାୟିକ କାମ ପାଇଁ ବ୍ୟବହୃତ ଜମି ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କନ ନିୟମ ଲାଗୁ ହେବ |
-
ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମିଛ କାଗଜପତ୍ର ଦେଇ ଜମି ନେବାକୁ ଚେଷ୍ଟା କଲେ ସେହି ବନ୍ଦୋବସ୍ତ ବାତିଲ ହେବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ |
-
ତଦାରଖ ଓ ଆପିଲ୍: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆବେଦନଗୁଡ଼ିକର ଯାଞ୍ଚ କରିବେ ଏବଂ ଶ୍ରୀମନ୍ଦିର ପ୍ରଶାସନର NOC ଜରୁରୀ ରହିବ | କୌଣସି ବିବାଦ ଉପୁଜିଲେ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଆପିଲ୍ କମିଟି ନିକଟରେ ଆବେଦନ କରାଯାଇପାରିବ |
ରାଜପତ୍ର (Gazette) ରେ ପ୍ରକାଶ ପାଇବା ଦିନଠାରୁ ଏହି ନୂଆ ନିୟମାବଳୀ ଆଗାମୀ ୨ ବର୍ଷ ପାଇଁ ଲାଗୁ ରହିବ | ଏହା ଦ୍ୱାରା ଶ୍ରୀମନ୍ଦିର ଜମିର ସୁରକ୍ଷା ହେବା ସହ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଆସିବ |

