ବୟସ ଜାଲିୟାତି: ଭାରତୀୟ U-19 କ୍ରିକେଟର ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍, ୬୨ରୁ ଅଧିକ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ:
ବୟସ ଜାଲିୟାତି (Age Fraud) ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଅଣ୍ଡର-୧୯ ଦଳର ଲେଗ୍-ସ୍ପିନର ରୋହିତ ଯାଦବଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଏଥିସହିତ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ମଧ୍ୟ କାଗଜପତ୍ରରେ ଗଡ଼ବଡ଼ି କରିଥିବା ଅନ୍ୟ ୬୨ ଜଣ ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ U-19 ଦଳର ଅଂଶ ଥିଲେ ରୋହିତ । ଆସନ୍ତା ଅଷ୍ଟ୍ରେଲିଆ ସିରିଜ୍ ପାଇଁ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ CAB ର ଯାଞ୍ଚ ସମୟରେ ତାଙ୍କ ଜନ୍ମ ପ୍ରମାଣପତ୍ର ଓ ଆଧାର କାର୍ଡରେ ପ୍ରାୟ ୨୭ ମାସର ବୟସ ଅନ୍ତର ଥିବା ଜଣାପଡ଼ିଥିଲା । ଏହାପରେ BCCI ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୨ ବର୍ଷ ପାଇଁ ନିଲମ୍ବିତ କରିବା ସହ ଅଷ୍ଟ୍ରେଲିଆ ସିରିଜ୍ ଦଳରୁ ବାଦ୍ ଦେଇଛି ।
ଏହି ବ୍ୟାନ୍ ତାଲିକାରେ ୨୦୨୨ U-19 ବିଶ୍ୱକପ୍ ବିଜେତା ଦଳର ବୋଲର ରବି କୁମାରଙ୍କ ସମେତ ବହୁ ପ୍ରମୁଖ ଖେଳାଳି ମଧ୍ୟ ସାମିଲ ଅଛନ୍ତି । CAB ଏହି ସମସ୍ତ ୬୨ ଜଣ ଖେଳାଳିଙ୍କୁ ଆଗାମୀ ଘରୋଇ ସିଜନ୍ ପାଇଁ ଅଯୋଗ୍ୟ ଘୋଷଣା କରିଛି ।

