Paradip Ship Sinking Incident: 2 Crew Members Rescued After 20 Hours in Sea Share Chilling Ordeal/ଦେଖୁ ଦେଖୁ ସମୁଦ୍ରରେ ବୁଡ଼ିଗଲା ‘ଏମ୍ ଭି ଓସେନ୍ ଓ୍ବିନର୍’; ତଦନ୍ତକାରୀ ସଂସ୍ଥା ଆଗରେ ଭୟାନକ କାହାଣୀ କହିଲେ ୨ ଉଦ୍ଧାର କ୍ରୀୟୁ ସଦସ୍ୟ

ପାରାଦୀପ ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା: ୨୦ ଘଣ୍ଟା ପାଣିରେ ଭାସିବା ପରେ ମୃତ୍ୟୁ ମୁଖରୁ ଫେରିଲେ ୨ କ୍ରୀୟୁ ସଦସ୍ୟ, ବର୍ଣ୍ଣନା କଲେ ସେହି ଭୟାନକ କାହାଣୀ
ପାରାଦୀପ:
ସମୁଦ୍ରର ଉତ୍ତାଳ ଲହଡ଼ି, ଚାରିଆଡ଼େ ଅନ୍ଧକାର ଆଉ ଆଖି ସାମ୍ନାରେ ମୃତ୍ୟୁ। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂର ସମୁଦ୍ର ମଝିରେ ‘ଏମ୍ ଭି ଓସେନ୍ ଓ୍ବିନର୍’ ଜାହାଜ ବୁଡ଼ିଯିବା ପରେ ଘଟିଥିବା ସେହି ଛାତିଥରା ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଜଣ କ୍ରୀୟୁ ସଦସ୍ୟ।
ତଦନ୍ତକାରୀ ସଂସ୍ଥା ଆଗରେ ସେମାନେ ଦେଇଥିବା ବୟାନ ଅନୁଯାୟୀ, ସମୁଦ୍ରରେ ପ୍ରବଳ ଉଚ୍ଚ ଲହଡ଼ି (ରୋଲିଂ) ଆସିବା ଯୋଗୁଁ ଜାହାଜଟି ନିଜର ଭାରସାମ୍ୟ ହରାଇ ବସିଥିଲା। ଗୋଟିଏ ପଟକୁ ଢଳିଯିବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଏହା ପାଣି ଭିତରେ ବୁଡ଼ିଯାଇଥିଲା।
ଜାହାଜରେ ମୋଟ ୨୪ ଜଣ କ୍ରୀୟୁ ସଦସ୍ୟ ଥିବା ବେଳେ ଦୁର୍ଘଟଣା ସମୟରେ ମାତ୍ର ୧୦ ଜଣ ହିଁ ଜାହାଜରୁ ବାହାରକୁ ଆସି ପାଣିକୁ ଡେଇଁବାରେ ସଫଳ ହୋଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ୧୪ ଜଣ କ୍ରୀୟୁ ସଦସ୍ୟ ଜାହାଜ ଭିତରୁ ବାହାରି ପାରିନଥିଲେ ଏବଂ ଭିତରେ ହିଁ ଫସି ରହିଯାଇଥିଲେ।
ପାଣିକୁ ଡେଇଁଥିବା କ୍ରୀୟୁ ସଦସ୍ୟମାନେ ସମୁଦ୍ରର ଉତ୍ତାଳ ତରଙ୍ଗ ମଧ୍ୟରେ ଦୀର୍ଘ ୨୦ ଘଣ୍ଟା କାଳ ଭାସି ରହିଥିଲେ। ଏହାପରେ ସେହି ବାଟ ଦେଇ ଭାରତ ଆସୁଥିବା ଏକ ତୈଳ ଜାହାଜ (ଟ୍ୟାଙ୍କର) ସେମାନଙ୍କୁ ଦେଖି ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଭାରତୀୟ କୋଷ୍ଟଗାର୍ଡର ଜାହାଜ “ଭରଦ”କୁ ହସ୍ତାନ୍ତର କରାଯାଇଥିଲା।
ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପାରାଦୀପରେ ପ୍ରଶାସନିକ ସ୍ତରରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି। ଜଣେ ଭାଷା ଅନୁବାଦକ, ଦୁଇଜଣ କନସୋଲେଟ୍ ପ୍ରତିନିଧି ଏବଂ ଜଣେ ଆଡଭୋକେଟ୍‌ଙ୍କ ଉପସ୍ଥିତିରେ ବିଭିନ୍ନ ଭାରତୀୟ ତଦନ୍ତକାରୀ ସଂସ୍ଥା ଏହି ଦୁଇ କ୍ରୀୟୁ ସଦସ୍ୟଙ୍କ ବୟାନ ରେକର୍ଡ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି।

Leave a Reply

Your email address will not be published. Required fields are marked *