BWF ୱାର୍ଲ୍ଡ ଚାମ୍ପିୟନସିପ୍: ବିଶ୍ୱର ନଂ-୧ ଖେଳାଳି ସି ୟୁ କି’ଙ୍କୁ ହରାଇ ଆୟୁଷ ସେଟ୍ଟୀଙ୍କ ସେନ୍ସେସନ, ପି.ଭି. ସିନ୍ଧୁଙ୍କ ବିଜୟୀ ଆରମ୍ଭ
ନୂଆଦିଲ୍ଲୀ:ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍ର ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଦିନର ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ୨୧ ବର୍ଷୀୟ ଯୁବ ଭାରତୀୟ ଶଟଲର ଆୟୁଷ ସେଟ୍ଟୀ ବିଶ୍ୱର ନମ୍ବର-୧ ତଥା ଡିଫେଣ୍ଡିଂ ଚାମ୍ପିୟନ ଚୀନର ସି ୟୁ କି (Shi Yu Qi)ଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପଟେ ଦୁଇଥରର ଅଲମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ମଧ୍ୟ ମହିଳା ସିଙ୍ଗଲ୍ସରେ ସହଜ ବିଜୟ ହାସଲ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଆୟୁଷଙ୍କ କ୍ୟାରିୟରର ସବୁଠାରୁ ବଡ଼ ବିଜୟ
‘ଜାଏଣ୍ଟ-କିଲର’ ଭାବେ ପରିଚିତ କର୍ଣ୍ଣାଟକର ଆୟୁଷ ସେଟ୍ଟୀ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଚୀନର ଶୀର୍ଷ ଖେଳାଳି ସି ୟୁ କି’ଙ୍କୁ ୨୧-୧୪, ୧୩-୨୧, ୨୧-୧୯ ଗେମ୍ରେ ହରାଇ ଇତିହାସ ରଚିଛନ୍ତି। ୭୩ ମିନିଟ୍ ଧରି ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଆୟୁଷ ନିଜର ଦମଦାର ସ୍ମାସ୍ ଏବଂ ଶାନ୍ତ ଆଟିଚ୍ୟୁଡ୍ ବଳରେ ବିଜୟୀ ହୋଇଥିଲେ।
ପ୍ରଥମ ଗେମ୍ରେ ଆୟୁଷ ଘରୋଇ ଦର୍ଶକଙ୍କ ସମର୍ଥନରେ ଆରମ୍ଭରୁ ୧୧-୫ରେ ଆଗୁଆ ରହି ୨୧-୧୪ରେ ସହଜରେ ନିଜ ନାମରେ କରିଥିଲେ। ତେବେ ଦ୍ୱିତୀୟ ଗେମ୍ରେ ସି ୟୁ କି କମବ୍ୟାକ୍ କରି ୨୧-୧୩ରେ ଜିତି ମ୍ୟାଚ୍କୁ ବରାବର ସ୍ଥିତିକି ଆଣିଥିଲେ। ନିର୍ଣ୍ଣାୟକ ତଥା ତୃତୀୟ ଗେମ୍ରେ ଆୟୁଷ ଗୋଟିଏ ସମୟରେ ୧୫-୫ରେ ଆଗୁଆ ଥିବା ବେଳେ ଚୀନ୍ ଖେଳାଳି ଜୋରଦାର ଲଢ଼େଇ କରି ସ୍କୋରକୁ ୨୦-୧୯ ପର୍ଯ୍ୟନ୍ତ ନେଇଯାଇଥିଲେ। ମାତ୍ର ଚାପପୂର୍ଣ୍ଣ ମୁହୂର୍ତ୍ତରେ ଆୟୁଷ ନିଜର ସଂଜମତା ରକ୍ଷା କରି ନିର୍ଣ୍ଣାୟକ ପଏଣ୍ଟ ହାସଲ କରିବା ସହ ନିଜ କ୍ୟାରିୟରର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲେ।
ଇତିହାସ ରଚିବା ଆଡ଼କୁ ପି.ଭି. ସିନ୍ଧୁ
ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଭାରତର ତାରକା ଖେଳାଳି ପି.ଭି. ସିନ୍ଧୁ ଶୁଭାରମ୍ଭ କରିଛନ୍ତି। ୯ମ ସିଡ୍ ଭାବେ ଓହ୍ଲାଇଥିବା ସିନ୍ଧୁ ଆୟରଲ୍ୟାଣ୍ଡର ସୋଫିଆ ନୋବେଲଙ୍କୁ ମାତ୍ର ୨୯ ମିନିଟ୍ରେ ସିଧାସଳଖ ୨୧-୭, ୨୧-୧୧ ଗେମ୍ରେ ପରାସ୍ତ କରିଛନ୍ତି।
ସିନ୍ଧୁ ପୂର୍ବରୁ ବିଶ୍ୱ ଚାମ୍ପିୟନସିପ୍ରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି କାଂସ୍ୟ ପଦକ ଜିତିସାରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପହଞ୍ଚିଲେ ସେ ନିଜର ୬ଷ୍ଠ ପଦକ ପକ୍କା କରିବେ ଏବଂ ବିଶ୍ୱ ଚାମ୍ପିୟନସିପ୍ ଇତିହାସରେ ୬ଟି ପଦକ ଜିତିବାରେ ପ୍ରଥମ ଖେଳାଳି ଭାବେ ରେକର୍ଡ ରଚିବେ। ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ କାନାଡାର ୱେନ୍ ୟୁ ଝାଙ୍ଗଙ୍କୁ ଭେଟିବେ।
ମହିଳା ଡବଲ୍ସ: କମନୱେଲଥ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ତ୍ରିସା ଜୋଲି ଏବଂ ଗାୟତ୍ରୀ ଗୋପୀଚନ୍ଦ ସ୍ପେନର ପୋଲା ଲୋପେଜ୍ ଓ ଲୁସିଆ ରୋଡ୍ରିଗ୍ରେଜଙ୍କୁ ୨୧-୯, ୨୧-୧୩ ଗେମ୍ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।ପୁରୁଷ ଡବଲ୍ସ: ହରିହରଣ ଅମ୍ସାକରୁଣନ୍ ଏବଂ ଏମ.ଆର. ଅର୍ଜୁନଙ୍କ ବିପକ୍ଷ ଆୟରଲ୍ୟାଣ୍ଡ ଯୋଡ଼ି ମ୍ୟାଚ୍ ମଝିରୁ (୨୧-୧୬, ୬-୪ ସ୍ଥିତିରେ) ଓହରିଯିବାରୁ ଭାରତୀୟ ଯୋଡ଼ି ବିଜୟୀ ହୋଇଛନ୍ତି।ଅନ୍ୟପଟେ, ଭାରତର ଶୀର୍ଷ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ (୫ମ ସିଡ୍) ପ୍ରଥମ ରାଉଣ୍ଡରେ ବାଏ (Bye) ପାଇ ସିଧାସଳଖ ଦ୍ୱିତୀୟ ରାଉଣ୍ଡକୁ ଆଗ୍ରସର ହୋଇଛନ୍ତି।

