Dhruv Rathee’s Controversial Video Geo-Blocked in India/ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଭାରତରେ ବ୍ୟାନ୍ ହେଲା ଧ୍ରୁବ ରାଠୀଙ୍କ ୟୁଟ୍ୟୁବ୍ ଭିଡିଓ..

ଧ୍ରୁବ ରାଠୀଙ୍କ ବିବାଦୀୟ ଭିଡିଓ ଭାରତରେ ଜିଓ-ବ୍ଲକ୍: ଦିଲ୍ଲୀ ହାଇକୋର୍ଟଙ୍କୁ ଗୁଗୁଲ୍‌ର ସୂଚନା


ନୂଆଦିଲ୍ଲୀ:ପ୍ରସିଦ୍ଧ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ (Dhruv Rathee) ଏକ ବିବାଦୀୟ ଭିଡିଓକୁ ନେଇ ଭାରତରେ ସୋସିଆଲ ମିଡିଆ ଓ ଆଇନଗତ ମହଲରେ ଚର୍ଚ୍ଚା ଜୋର ଧରିଛି। ହିନ୍ଦୁ ଦେବଦେବୀଙ୍କ ଖାଦ୍ୟପେୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ, ଉକ୍ତ ଭିଡିଓଟିକୁ ଭାରତୀୟ ସୀମା (Indian Domain) ଭିତରେ ହଟାଇ ଦିଆଯାଇଥିବା ବା ‘ୱିଥ୍‌ହେଲ୍ଡ’ (Withheld) କରାଯାଇଥିବା ନେଇ ଗୁଗୁଲ୍‌ (Google) ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି।
କେନ୍ଦ୍ର ସରକାରଙ୍କ ଗ୍ରୀଭାନ୍ସ ଆପଲେଟ୍ କମିଟି (Grievance Appellate Committee – GAC) ର ଆଦେଶ ପାଳନ କରି ୟୁଟ୍ୟୁବ୍‌ ଏହି ପଦକ୍ଷେପ ନେଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ଆଗରେ ଗୁଗୁଲ୍‌ ପକ୍ଷରୁ ଓକିଲ ସ୍ପଷ୍ଟ କରିଛନ୍ତି।

ଗତ ମାର୍ଚ୍ଚ ୨୧ ତାରିଖରେ ଧ୍ରୁବ ରାଠୀ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ “Can Hindus eat BEEF? Kerala Story 2 EXPOSED” ଶୀର୍ଷକରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏହି ଭିଡିଓରେ ସେ ପ୍ରାଚୀନ ହିନ୍ଦୁ ଶାସ୍ତ୍ରର ଆଧାର ଦେଇ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭଗବାନ ଶ୍ରୀକୃଷ୍ଣ ମାଂସ ଓ ମଦିରା ସେବନ କରୁଥିଲେ ବୋଲି ଦାବି କରିଥିଲେ।
ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଡଭୋକେଟ୍ ଅମିତା ସଚଦେବା ଏହି ଭିଡିଓ ବିରୋଧରେ ଆପତ୍ତି ଉଠାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଭିଡିଓଟି ସନାତନ ଧର୍ମ ଏବଂ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ପହଞ୍ଚାଉଛି ଓ ସମାଜରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ଦିଲ୍ଲୀ ହାଇକୋର୍ଟ ଏବଂ GAC ର ନିର୍ଦ୍ଦେଶ
ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା GAC କୁ ୧୫ ଦିନ ମଧ୍ୟରେ ଏହି ମାମଲାର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଜୁଲାଇ ୧୫ କୋର୍ଟଙ୍କ ନିର୍ଦ୍ଦେଶ ପରେ GAC ଏହି ଭିଡିଓକୁ ୟୁଟ୍ୟୁବ୍‌ରୁ ହଟାଇବା ପାଇଁ ଆଦେଶ ପାରିତ କରିଥିଲା। ଜୁଲାଇ ୩୦ GAC ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ୟୁଟ୍ୟୁବ୍‌ ଭାରତୀୟ ୟୁଜରମାନଙ୍କ ପାଇଁ ଏହି ଭିଡିଓଟିକୁ ଜିଓ-ବ୍ଲକ୍ (Geo-block) କରିଦେଇଥିଲା।


ବିଶ୍ୱବ୍ୟାପୀ ବ୍ୟାନ (Global Takedown) କାହିଁକି ହେଲାନାହିଁ?
ଆବେଦନକାରୀଙ୍କ ପକ୍ଷରୁ ଭିଡିଓଟିକୁ ସାରା ବିଶ୍ୱରେ (Globally) ବ୍ୟାନ କରିବା ପାଇଁ ଦାବି କରାଯାଇଥିଲା। ତେବେ ଗୁଗୁଲ୍‌ର ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ, ଭାରତୀୟ ଆଦାଲତଗୁଡ଼ିକ ସାଧାରଣତଃ ନିଜ ଦେଶର ପରିସୀମା (Indian Domain) ଭିତରେ ହିଁ କଣ୍ଟେଣ୍ଟ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଅନ୍ତି।
କୌଣସି କଣ୍ଟେଣ୍ଟକୁ ବିଶ୍ୱବ୍ୟାପୀ ବ୍ୟାନ୍ କରାଯାଇପାରିବ କି ନାହିଁ, ସେହି ଆଇନଗତ ପ୍ରଶ୍ନ ବର୍ତ୍ତମାନ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ (Division Bench) ନିକଟରେ ବିଚାରାଧୀନ ରହିଛି। ତେଣୁ ବର୍ତ୍ତମାନ ପାଇଁ ଭାରତରେ ଏହି ଭିଡିଓଟି ଦେଖାଯାଉନାହିଁ।

Leave a Reply

Your email address will not be published. Required fields are marked *