ମିଛ ନିର୍ବାଚନ ଆଫିଡେଭିଟ୍: ପ୍ରାର୍ଥୀଙ୍କ ନାଁରେ ସିଧା କୋର୍ଟ ଯାଇପାରିବେ ସାଧାରଣ ଭୋଟର, କମିଶନଙ୍କ ଅନୁମତି ଲୋଡ଼ା ନାହିଁ
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ନିଜ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା କିମ୍ବା ମାମଲା ସମ୍ପର୍କରେ ଭୁଲ ତଥ୍ୟ ଦେଲେ ଏବେ ନେତାଙ୍କ ଅସୁବିଧା ବଢ଼ିବ। ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇ କହିଛନ୍ତି ଯେ, ଯଦି କୌଣସି ପ୍ରାର୍ଥୀ ସତ୍ୟପାଠ (Affidavit) ରେ ମିଛ ତଥ୍ୟ ଦିଅନ୍ତି, ତେବେ ତାଙ୍କ ବିରୋଧରେ କୌଣସି ବି ସାଧାରଣ ଭୋଟର ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ (ECI) ପୂର୍ବ ଅନୁମତି ନେବା ଜରୁରୀ ନୁହେଁ।
କ’ଣ କହିଲେ ସୁପ୍ରିମକୋର୍ଟ?
ଲୋକପ୍ରତିନିଧି ଆଇନର ଧାରା ୧୨୫-ଏ ଅଧୀନରେ ମିଥ୍ୟା ତଥ୍ୟ ଦେବା ଏକ ଅପରାଧ। ପୂର୍ବରୁ ହାଇକୋର୍ଟ କହିଥିଲେ ଯେ କେବଳ ନିର୍ବାଚନ କମିଶନ କିମ୍ବା ସରକାରୀ ଅଫିସରଙ୍କ ଅଭିଯୋଗ ଆଧାରରେ ମାମଲା ଚାଲିପାରିବ। ମାତ୍ର ଏହି ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭୋଟରଙ୍କୁ ସଠିକ୍ ସୂଚନା ପାଇବାର ଅଧିକାର ରହିଛି, ତେଣୁ ସେମାନେ ସିଧାସଳଖ କୋର୍ଟରେ ଅଭିଯୋଗ ଆଗତ କରିପାରିବେ।
୬ ମାସ ଜେଲ୍ ସହ ଦଣ୍ଡ ବିଧାନ
ଆଫିଡେଭିଟ୍ରେ ତଥ୍ୟ ଲୁଚାଇଲେ କିମ୍ବା ଭୁଲ ସୂଚନା ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ହୋଇପାରେ।
ତେବେ ରାଜନୈତିକ ଶତ୍ରୁତା ରଖି କେହି ଯେପରି ଅକାରଣରେ ମିଥ୍ୟା କେସ୍ ନ କରନ୍ତି, ସେଥିପାଇଁ ମାଜିଷ୍ଟ୍ରେଟ୍ଙ୍କ ପାଖରେ ପ୍ରାରମ୍ଭିକ ଯାଞ୍ଚ କରି ମାମଲା ଖାରଜ କରିବାର ଅଧିକାର ମଧ୍ୟ ରହିଛି।



