ଉଚ୍ଚଶିକ୍ଷାରେ ବିପ୍ଳବ: ‘ଜ୍ଞାନୋଦୟ’ ଯୋଜନାରେ ବଢ଼ୁଛି ନାମଲେଖା, ୧,୮୧୯ ପଦବୀରେ ହେବ ନୂଆ ଅଧ୍ୟାପକ ନିଯୁକ୍ତି
ଭୁବନେଶ୍ୱର[News Inshot]: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ ଯୋଜନା (Gyanodaya Scheme) ମାଧ୍ୟମରେ ଉଚ୍ଚଶିକ୍ଷା ନାମଲେଖା ହାରରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ କରାଯାଇଛି। ବିଶେଷ କରି ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ (Aspirational Districts) କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବାଧିକ ନାମଲେଖା ପରିଲକ୍ଷିତ ହୋଇଛି।
ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ଏବଂ ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧,୮୧୯ଟି ଅଧ୍ୟାପକ/ଫ୍ୟାକଲ୍ଟି (Faculty) ପଦବୀ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଓ ଫି’ ଛାଡ଼ ସୁବିଧା ଯୋଗାଇ ଦିଆଯାଉଛି। ଆକାଂକ୍ଷୀ ଜିଲ୍ଲାର ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ଉପକୃତ ହେଉଛନ୍ତି, ଯାହା ରାଜ୍ୟର ସମୋଚ୍ଚ ଶିକ୍ଷା ହାର (GER) ବୃଦ୍ଧିରେ ସହାୟକ ହେଉଛି।



