ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ପୁନମ ରାଉତ
ଭୁବନେଶ୍ୱର: ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଓ ଦକ୍ଷ ଓପନର୍ ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଜାତୀୟ ଦଳରୁ ବାହାରେ ରହିବା ପରେ ଶେଷରେ ସେ ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।
୨୦୦୯ ମସିହାରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ପୁନମ, ନିଜର ଦମକାର ପ୍ରଦର୍ଶନ ବଳରେ ଦଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଭାରତ ପାଇଁ ୪ଟି ଟେଷ୍ଟ, ୭୩ଟି ଦିନିକିଆ (ODI) ଏବଂ ୩୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ବିଶେଷକରି ୨୦୧୭ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ୮୬ ରନ୍ ର ଲଢ଼ୁଆ ପାଳି କ୍ରିକେଟ୍ପ୍ରେମୀଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇରହିବ।
ଅବସର ଘୋଷଣା କରିବା ବେଳେ ସେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି କ୍ରିକେଟ୍ ଯାତ୍ରାରେ ତାଙ୍କୁ ସହଯୋଗ କରିଥିବା ପରିବାର, ସାଥୀ ଖେଳାଳି ଏବଂ ପ୍ରଶଂସକମାନଙ୍କୁା ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ଅବସର ପରେ ଭାରତୀୟ ମହିଳା କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅନ୍ତ ହୋଇଛି।



