ପଶ୍ଚିମବଙ୍ଗ ନାବାଳିକା ହତ୍ୟାକାଣ୍ଡକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ, ମାଷ୍ଟର କ୍ୟାଣ୍ଟିନରେ ପଥପ୍ରାନ୍ତ ନାଟକ ଓ ସଭା.
ଭୁବନେଶ୍ୱର: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ଉପରେ ଘଟିଥିବା କଥିତ ଜଘନ୍ୟ ଅପରାଧକୁ ନେଇ ଦେଶବ୍ୟାପୀ କ୍ଷୋଭ ଦେଖାଦେଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ‘ବନ୍ଦେ ମାତରମ୍’ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଓ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଛି।

ପ୍ରତିବାଦକାରୀମାନେ ନାବାଳିକାଙ୍କ ପ୍ରତି ହିଂସା ଓ ଯୌନ ଅପରାଧ ବିରୋଧରେ କଠୋର ଆଇନ ପ୍ରୟୋଗ, ଦ୍ରୁତ ବିଚାର ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ।
ସଂଗଠନର ସଦସ୍ୟମାନଙ୍କ କହିବା ଅନୁସାରେ, କୋମଳମତି ଝିଅମାନଙ୍କ ବିରୋଧରେ ବାରମ୍ବାର ଘଟୁଥିବା ଏଭଳି ଜଘନ୍ୟ ଘଟଣା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ଏବଂ ଏହା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ସଂଗଠନର ସଦସ୍ୟମାନଙ୍କ ସହ କାଳନ୍ଦୀ, ପୂର୍ଣଚନ୍ଦ୍ର ଏବଂ ରବୀନ୍ଦ୍ର ସମେତ ବହୁ ସାମାଜିକ କର୍ମୀ ଯୋଗଦେଇଥିଲେ। ସେମାନେ ଦୋଷୀଙ୍କୁ ଶୀଘ୍ର ଆଇନ ଅନୁଯାୟୀ ଦଣ୍ଡିତ କରିବା ସହ ଦେଶରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ।

