କନ୍ଧମାଳରେ ମନରେଗା ଦୁର୍ନୀତି: ୪୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ, ଦୁଇ ଇଞ୍ଜିନିୟରଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର/କନ୍ଧମାଳ: କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକରେ ମନରେଗା (MGNREGS) ଯୋଜନାରେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AE) ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ (JE) ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଗିରଫ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ଧାରାକୋଟ ଗ୍ରାମପଞ୍ଚାୟତରେ ଅମୃତ ସରୋବର (ପୋଖରୀ) ପ୍ରକଳ୍ପ ସମେତ ଅନ୍ୟାନ୍ୟ ଉନ୍ନୟନମୂଳକ କାମ ନାମରେ ୨୦୨୩-୨୪ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିଲା।
ସରକାରୀ ରେକର୍ଡ ଅନୁସାରେ ପ୍ରକଳ୍ପଗୁଡ଼ିକ ପାଇଁ ୪୯ ଲକ୍ଷ ୮୩ ହଜାର ୯୯୫ ଟଙ୍କା ବିଲ୍ ପାସ୍ କରି ପୈଠ କରାଯାଇଥିଲା। କିନ୍ତୁ ଭୌତିକ ଓ ବୈଷୟିକ ଯାଞ୍ଚରେ ମାତ୍ର ୭ ଲକ୍ଷ ୪୨ ହଜାର ୩୫୭ ଟଙ୍କାର କାମ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ୪୨ ଲକ୍ଷରୁ ଅଧିକ ଟଙ୍କା କାମ ନକରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି।
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ମନରେଗା ନିୟମ ଅନୁସାରେ କାମର ପ୍ରତ୍ୟେକ ପର୍ଯ୍ୟାୟରେ ଜିଓ-ଟ୍ୟାଗ୍ ଫଟୋ ଅପଲୋଡ୍ କରିବା ବାଧ୍ୟତାମୂଳକ ଥିବାବେଳେ ଏହି ପ୍ରକଳ୍ପଗୁଡ଼ିକରେ କୌଣସି ଜିଓ-ଟ୍ୟାଗ୍ ଫଟୋ ଅପଲୋଡ୍ କରାଯାଇନଥିଲା। ଏହା ସତ୍ତ୍ୱେ ବିଲ୍ ପାସ୍ କରାଯାଇ ଅର୍ଥ ଉଠାଯାଇଥିଲା।
ଏହି ଘଟଣାରେ ଭିଜିଲାନ୍ସ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୬/୨୦୨୬ ରୁଜୁ କରି ଦୁର୍ନୀତି ନିବାରଣ ଆଇନ-୨୦୧୮ ଓ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରାରେ ତଦନ୍ତ ଜାରି ରଖିଛି।

