‘ନାଗରିକଙ୍କୁ ଭୋଟ୍ ଦେବାର ସୁଯୋଗ ଦେବା ନିର୍ବାଚନ ଆୟୋଗଙ୍କ ମୁଖ୍ୟ କାମ’: ନିର୍ବାଚନ ଆୟୋଗଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା
ପାଣାଜୀ:
ନିର୍ବାଚନ ଆୟୋଗ (ECI) ଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାରୁ ନାଁ କାଟିବା ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦେଶର ନାଗରିକମାନେ ଯେପରି ସହଜରେ ଭୋଟ୍ ଦେଇପାରିବେ, ତାହା ନିଶ୍ଚିତ କରିବା ନିର୍ବାଚନ ଆୟୋଗଙ୍କର ପ୍ରାଥମିକ ଦାୟିତ୍ୱ। ନିୟମ ଓ ସଫ୍ଟୱେର୍ ଆଳରେ ଜଣେ ସାଧାରଣ ନାଗରିକଙ୍କୁ ଭୋଟ୍ ଦେବାର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ।
କ’ଣ ଥିଲା ପୂରା ମାମଲା?
ସାନ୍ତାକ୍ରୁଜ୍ ଆସେମ୍ବଲି ନିର୍ବାଚନମଣ୍ଡଳୀର ପରେଶ ସାଲଗାଓଁକର ଓ ତାଙ୍କ ପରିବାରର ୬ ଜଣ ସଦସ୍ୟ ନିଜର ନୂଆ ଘରକୁ ସ୍ଥାନାନ୍ତର ହୋଇଥିଲେ। ଠିକଣା ବଦଳାଇବା ପାଇଁ ସେମାନେ ନିର୍ବାଚନ ଅଧିକାରୀଙ୍କ ପରାମର୍ଶ କ୍ରମେ ‘ଫର୍ମ-୮’ (Form 8) ଦାଖଲ କରିଥିଲେ। ମାତ୍ର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ଏବଂ ସଫ୍ଟୱେର୍ ତ୍ରୁଟି କାରଣରୁ ସେମାନଙ୍କ ଆବେଦନକୁ ସିଧାସଳଖ ଖାରଜ କରିଦିଆଯାଇଥିଲା। ଏହାଦ୍ୱାରା ସେମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଯିବାର ଆଶଙ୍କା ଦେଖାଦେବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ:
ଜଷ୍ଟିସ ଭାଲ୍ମୀକି ମେନେଜେସ ଓ ଜଷ୍ଟିସ ଅମିତ ଏସ. ଜାମସାଣ୍ଡେକରଙ୍କୁ ନେଇ ଗଠିତ ବେଞ୍ଚରେ ଏହି ମାମଲାର ଶୁଣାଣି ଚାଲିଥିଲା।
-
୨୪ ବର୍ଷ ପରେ SIR କାହିଁକି? ନିର୍ବାଚନ ଆୟୋଗଙ୍କ ଓକିଲ ଯେତେବେଳେ ଭୋଟରମାନେ ପୂର୍ବରୁ ସୂଚନା ନଦେବା ନେଇ ପ୍ରଶ୍ନ ଉଠାଇଥିଲେ, କୋର୍ଟ କହିଥିଲେ— “ଜଣେ ନାଗରିକ ହିସାବରେ ଲୋକମାନେ ମଧ୍ୟ ପ୍ରଶ୍ନ ପଚାରିପାରିବେ ଯେ ୨୪ ବର୍ଷ ଧରି ନିୟମିତ ସଂଶୋଧନ ନକରି ହଠାତ୍ ଏତେ ଦିନ ପରେ ଏଭଳି ବିଶେଷ ସଂଶୋଧନ (SIR) କାହିଁକି କରାଯାଉଛି?”
-
ଫର୍ମ ରଦ୍ଦ ନକରି ସ୍ଥଗିତ ରଖାଯାଇପାରିଥାନ୍ତା: କୋର୍ଟ କହିଛନ୍ତି ଯେ, ସ୍ଥାନାନ୍ତର ହୋଇଥିବା ଲୋକଙ୍କ ଫର୍ମ-୮ କୁ ସିଧାସଳଖ ନାକଚ ନକରି ତଦନ୍ତ ପାଇଁ ସ୍ଥଗିତ (In Abeyance) ରଖାଯାଇପାରିଥାନ୍ତା। ନାକଚ କରିଦେବା ଦ୍ୱାରା ନାଗରିକଜଣକ ଭୋଟର ତାଲିକାରୁ ସମ୍ପୂର୍ଣ୍ଣ ଗାଏବ ହୋଇଯାଉଛନ୍ତି।
-
ସଫ୍ଟୱେର୍ ଆଇନଠାରୁ ବଡ଼ ନୁହେଁ: ଆଡମିନିଷ୍ଟ୍ରେଟିଭ୍ ସଫ୍ଟୱେର୍ କିମ୍ବା ଡ୍ରାଫ୍ଟ ରୋଲ୍ କଦାପି ମୂଳ ଆଇନକୁ ଅତିକ୍ରମ କରି ଭୋଟରଙ୍କ ନାଁ କାଟିପାରିବ ନାହିଁ।
ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ଆୟୋଗ ଯେକୌଣସି ପ୍ରଶାସନିକ ପ୍ରକ୍ରିୟା ଆପଣାନ୍ତୁ, କିନ୍ତୁ ତାହାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କୁ ଭୋଟ୍ ଦେବାର ସୁଯୋଗ ଦେବା। ପ୍ରଶାସନିକ ଅବହେଳା କିମ୍ବା ବାଧା କାରଣରୁ ଯେପରି କୌଣସି ନାଗରିକଙ୍କ ନାଁ ତାଲିକାରୁ ବାଦ୍ ନପଡ଼େ, ତାହା ନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।



