ନୂଆଦିଲ୍ଲୀ:
ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ନିରୀକ୍ଷଣ ବେଳେ PWD ମନ୍ତ୍ରୀ ପରବେଶ ବର୍ମା ଜଣେ ଯୁବକଙ୍କୁ ଥାପଡ଼ ମାରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ନିର୍ମାଣ କାମର ନିମ୍ନମାନ ଓ ରାସ୍ତା ଖରାପ ଥିବା ଦେଖାଇ ଭିଡିଓ ରେକର୍ଡିଂ କରୁଥିବା ବେଳେ ମନ୍ତ୍ରୀ ନିୟନ୍ତ୍ରଣ ହରାଇ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମ ଆଦମୀ ପାର୍ଟି (AAP) ବିଜେପିକୁ ଘେରିବା ସହ ମନ୍ତ୍ରୀଙ୍କ ଗିରଫଦାରୀ ଦାବି କରିଛି।
କ’ଣ ଥିଲା ପୂରା ଘଟଣା?
ରବିବାର ଦିନ PWD ମନ୍ତ୍ରୀ ପରବେଶ ବର୍ମା ତିଲକ ନଗର ଅଞ୍ଚଳରେ ରାସ୍ତା ନିରୀକ୍ଷଣ ପାଇଁ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ଆପ୍ ବିଧାୟକ ଜରନେଲ ସିଂହଙ୍କ ସୋସିଆଲ ମିଡିଆ ଟିମ୍ର ସାହେବ ନାମକ ଜଣେ ଯୁବକ ରାସ୍ତା ନିର୍ମାଣର ନିମ୍ନମାନ ସମ୍ପର୍କରେ ପ୍ରଶ୍ନ ଉଠାଇବା ସହ ଭିଡିଓ ସୁଟିଂ କରୁଥିଲେ। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ମନ୍ତ୍ରୀ ବର୍ମା ବାମ ହାତରେ ଯୁବକଙ୍କ ମୋବାଇଲକୁ ତଳକୁ ନୁଆଁଇ ଦେବା ସହ ଡାହାଣ ହାତରେ ତାଙ୍କ ଗାଲରେ ଥାପଡ଼ ମାରୁଛନ୍ତି।
“ମୋତେ ଜୀବନରୁ ମାରିଦେବାକୁ ଧମକ ଦିଆଗଲା”:
ପୀଡ଼ିତ ଯୁବକ ସାହେବ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି, “PWD ବିଭାଗର ଡାକରା ପାଇ ଆମେ ରାସ୍ତାର ସ୍ଥିତି ପରଖିବାକୁ ଆସିଥିଲୁ। ରାସ୍ତା ପିଚୁ ଉଠିଯାଉଥିବା ନେଇ ମୁଁ ମନ୍ତ୍ରୀଙ୍କୁ ଦେଖାଇବାରୁ ସେ ନିଜ ଆପା ହରାଇ ମୋ ଉପରକୁ ହାତ ଉଠାଇଲେ। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ମନ୍ତ୍ରୀଙ୍କ ସହଯୋଗୀମାନେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏହାର ସମ୍ପୂର୍ଣ୍ଣ ପ୍ରମାଣ ଭିଡିଓରେ ଅଛି, ମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।”
ଆପ୍ର ବିକ୍ଷୋଭ ଓ FIR:
ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ଜରନେଲ ସିଂହ ଓ ଆପ୍ କର୍ମୀମାନେ ଜରୁରୀକାଳୀନ ନମ୍ବର 112 କୁ କଲ୍ କରି ଅଭିଯୋଗ ଜଣାଇବା ସହ ଘଟଣାସ୍ଥଳରେ ଧାରଣା ଦେଇଥିଲେ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଭିଡିଓ ଶେୟାର କରି ମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ବିକାଶପୁରୀ ଥାନାରେ ଏହି ନେଇ ଏତଲା (FIR) ଦାଖଲ କରାଯାଇଛି।
ଅନ୍ୟପଟେ, ଏହି ଅଭିଯୋଗ ଓ ଭାଇରାଲ ଭିଡିଓକୁ ନେଇ ବିଜେପି କିମ୍ବା ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ସାମ୍ନାକୁ ଆସିନାହିଁ।
Delhi PWD Minister Parvesh Verma Slaps Youth During Road Inspection/ଦିଲ୍ଲୀ ରାଜନୀତି ଗରମ: PWD ମନ୍ତ୍ରୀଙ୍କ ଚାପୁଡ଼ା କାଣ୍ଡ ପରେ ଗିରଫ ଦାବି କଲା ଆପ୍, ଥାନାରେ FIR



