ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ, ଭୁବନେଶ୍ୱରରେ ବିଶାଳ ରାଲି
ଭୁବନେଶ୍ୱର:
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ (CEC) ବହିଷ୍କାର ଦାବି ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି (OPCC) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଯାଇଛି। OPCC ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଆଜି ପୂର୍ବାହ୍ନ ୧୦:୩୦ଟାରେ ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ରାଲି ବାହାରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହୋଇଥିଲା। ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ।
ଏହି ଗ୍ରାଣ୍ଡ ରାଲିକୁ ସମ୍ବୋଧିତ କରି OPCC ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ଆୟୋଗ ନିରପେକ୍ଷ ରହିବା ଜରୁରୀ, କିନ୍ତୁ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଉ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ପଦବୀରୁ ହଟାଯାଉ।
ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା, ଯୁବ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ।











