ମହାନଦୀ ବେସିନ୍ରେ ମିଳିଲା ପ୍ରଚୁର ପ୍ରାକୃତିକ ଗ୍ୟାସ୍: ସମୁଦ୍ର ମନ୍ଥନ ଅଭିଯାନରେ ONGC କୁ ବଡ଼ ସଫଳତା
ଭୁବନେଶ୍ୱର:
ଓଡ଼ିଶା ଉପକୂଳସ୍ଥ ମହାନଦୀ ବେସିନ୍ର ଗଭୀର ସମୁଦ୍ର ଭିତରେ ମିଳିଛି ବଡ଼ ଧରଣର ପ୍ରାକୃତିକ ଗ୍ୟାସ୍ ଭଣ୍ଡାର। ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ONGC) ର ଚାଲିଥିବା ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଖନନ କରାଯାଇଥିବା ପ୍ରଥମ କୂଅ ‘MDW-28’ ରୁ ଗ୍ୟାସ୍ ବାହାରିବା ଆରମ୍ଭ ହୋଇଛି। ଗ୍ୟାସର ଚାପ ଓ ବାହାରିବା ହାର ବେଶ୍ ଆଶାଜନକ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗତ ଜୁଲାଇ ୨୫ ତାରିଖରେ ଏହି ଗଭୀର ସମୁଦ୍ର ଖନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗତ ସେପ୍ଟେମ୍ବର ୧୮ ରେ ଭୂଗର୍ଭସ୍ଥ ତଥ୍ୟ ଅନୁଧ୍ୟାନ କରିବା ପରେ ଏହି କୂଅରେ ଗ୍ୟାସ୍ ପ୍ରବାହ ଆରମ୍ଭ କରାଯାଇଛି, ଯାହା ବର୍ତ୍ତମାନ ସ୍ଥିର ଏବଂ ଉତ୍ସାହଜନକ ସ୍ଥିତିରେ ରହିଛି।
ଏହି ଅଭିଯାନ ସମୟରେ ONGC ଅଧ୍ୟକ୍ଷ ଅରୁଣ କୁମାର ସିଂହ ଓ କମ୍ପାନୀର ବରିଷ୍ଠ ନିର୍ଦ୍ଦେଶକବୃନ୍ଦ ନିଜେ ଡ୍ରିଲସିପ୍ ଗସ୍ତ କରି କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ।
କେନ୍ଦ୍ର ସରକାରଙ୍କ PNG ନିୟମାବଳୀ-୨୦୨୫ (PNG Rules, 2025) ଅନୁଯାୟୀ, ଏହି ଅଞ୍ଚଳରେ ମିଳିଥିବା ଅନ୍ୟାନ୍ୟ ଗ୍ୟାସ୍ ଭଣ୍ଡାରଗୁଡ଼ିକୁ ସାଝା ଭିତ୍ତିଭୂମି ବ୍ୟବହାର କରି ଅତି ଶୀଘ୍ର ଉତ୍ପାଦନକ୍ଷମ କରାଯାଇପାରିବ। ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ONGC ଆଗାମୀ ଦିନରେ ଗଭୀର ସମୁଦ୍ରରେ ନିଜର ଏହି ସନ୍ଧାନ ଜାରି ରଖିବ।

