No More Stopping at Toll Plazas: India to Roll Out Barrier-Free Tolling by March 2027/NH ରେ ଆଉ ଅଟକିବନି ଗାଡ଼ି: ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ଡିଜିଟାଲ୍‌ ହେବ ଟୋଲ୍‌ କଲେକ୍ସନ୍‌

ମାର୍ଚ୍ଚ ୨୦୨୭ ସୁଦ୍ଧା ହଟିବ ଟୋଲ୍‌ ଗେଟ୍‌: ଦେଶସାରା ଲାଗୁ ହେବ ବ୍ୟାରିଅର୍-ଫ୍ରି ଡିଜିଟାଲ୍ ଟୋଲ୍‌ ସିଷ୍ଟମ୍
ନ୍ୟାସନାଲ୍ ହାଇୱେରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ୍‌ ଗେଟ୍‌ ବା ବ୍ୟାରିଅର୍ ଗୁଡ଼ିକ ସମ୍ପୂର୍ଣ୍ଣ ହଟିଯିବ। ଗାଡ଼ିଗୁଡ଼ିକୁ ଆଉ ଟୋଲ୍‌ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ। ମୁମ୍ବାଇରେ ଆୟୋଜିତ ‘ଗ୍ଲୋବାଲ୍ ଫିନ୍‌ଟେକ୍ ଫେଷ୍ଟ’ରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହି ବଡ଼ ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୬ ଡିସେମ୍ବର ସୁଦ୍ଧା ପ୍ରାୟ ୬୦ ରୁ ୭୦ ପ୍ରତିଶତ ଟୋଲ୍‌ ପ୍ଲାଜାକୁ ବ୍ୟାରିଅର୍-ଫ୍ରି କରାଯିବ ଏବଂ ୨୦୨୭ ମାର୍ଚ୍ଚ ସୁଦ୍ଧା ଏହାକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରାଯିବ।
କିପରି କାମ କରିବ ଏହି ନୂଆ ସିଷ୍ଟମ୍?
ଏହି ନୂଆ ବ୍ୟବସ୍ଥାରେ ‘ମଲ୍ଟି-ଲେନ୍ ଫ୍ରି ଫ୍ଲୋ’ (MLFF) ଟେକ୍ନୋଲୋଜି ବ୍ୟବହାର କରାଯିବ। ରାସ୍ତା ଉପରେ ହାଇ-ଟେକ୍ କ୍ୟାମେରା (ANPR) ଏବଂ ସେନ୍ସର ଲାଗିବ। ଗାଡ଼ିଗୁଡ଼ିକ ନିଜ ନିର୍ଦ୍ଧାରିତ ସ୍ପିଡ୍‌ରେ ଯାଉଥିବା ବେଳେ ସେନ୍ସର ଆପେ ଆପେ ନମ୍ବର ପ୍ଲେଟ୍ ଓ FASTag ସ୍କାନ୍ କରି ଆକାଉଣ୍ଟରୁ ଟୋଲ୍ ଟଙ୍କା କାଟିନେବ।
ସରକାର ଓ ଜନସାଧାରଣଙ୍କୁ ମିଳିବ ବଡ଼ ଫାଇଦା:
ସରକାରଙ୍କ ଲାଭ: FASTag ର ସମ୍ପୂର୍ଣ୍ଣ ବ୍ୟବହାର ଓ ଡିଜିଟାଲ୍ ସିଷ୍ଟମ୍ ଯୋଗୁଁ ରାଜସ୍ୱ ଲିକ୍‌ ହେବା ବନ୍ଦ ହେବ, ଯାହାଦ୍ୱାରା ସରକାରଙ୍କୁ ବାର୍ଷିକ ୨୦,୦୦୦ ରୁ ୨୫,୦୦୦ କୋଟି ଟଙ୍କାର ସିଧାସଳଖ ଫାଇଦା ମିଳିବ।
ଖର୍ଚ୍ଚ କମିବ: ଟୋଲ୍‌ ପ୍ଲାଜା ପରିଚାଳନା ଖର୍ଚ୍ଚ ୧୨-୧୫% ରୁ କମି ମାତ୍ର ୨-୪% କୁ ଆସିଯିବ। ଏହାଦ୍ୱାରା ବାର୍ଷିକ ୬,୦୦୦ ରୁ ୭,୦୦୦ କୋଟି ଟଙ୍କା ବଞ୍ଚିବ।
ସମୟ ଓ ତେଲ ବଞ୍ଚିବ: ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଦେଶରେ ବାର୍ଷିକ ପ୍ରାୟ ୫୬ କୋଟି ଲିଟର ଜାଳେଣି ଏବଂ ୭୧ କୋଟି ଘଣ୍ଟା ସମୟ ବଞ୍ଚିବ।
ଏହା ସହିତ ସରକାର ‘ୱାନ୍ ଟ୍ୟାଗ୍’ (One Tag) ସୁବିଧା ଆଣିବାକୁ ଯାଉଛନ୍ତି, ଯାହା ମାଧ୍ୟମରେ ସିମ୍ କାର୍ଡ ପୋର୍ଟାବିଲିଟି ଭଳି ଗାଡ଼ି ଚାଳକମାନେ ଟ୍ୟାଗ୍ ନବଦଳାଇ ସହଜରେ ନିଜର ବ୍ୟାଙ୍କ ବଦଳାଇ ପାରିବେ।

Leave a Reply

Your email address will not be published. Required fields are marked *