ବାଲେଶ୍ୱର ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର, ତଦନ୍ତ ଆରମ୍ଭ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଉଦୟପୁର ବନଖଣ୍ଡର ଏକ ପାଟ୍ରୋଲିଂ ଟିମ୍ ବଡ଼ପାହାଡ଼ ନିକଟରୁ ଏହି ଜୀବମାନଙ୍କୁ ପ୍ରଥମେ ଦେଖିବାକୁ ପାଇଥିଲେ।
ମଙ୍ଗଳବାର ସକାଳେ ନିୟମିତ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ଏମାନଙ୍କୁ ଦେଖି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସମସ୍ତ ଓରାଙ୍ଗଉଟାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସେମାନଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି।
ସାଧାରଣତଃ ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ। ଏହି ବିରଳ ଜୀବମାନେ ଏଠାକୁ କିପରି ଆସିଲେ, ସେ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF) ପ୍ରେମ ଝା କହିଛନ୍ତି ଯେ, ଉଦ୍ଧାର ଓରାଙ୍ଗଉଟାନଗୁଡ଼ିକର ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ଏବଂ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

