ଇଶାନ କିଶନଙ୍କଠାରୁ ଶିଖିବାକୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପରାମର୍ଶ
ଖେଳ ଖବର: ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍ରେ ଇଷ୍ଟ ଜୋନ୍ କ୍ୟାପଟେନ୍ ଇଶାନ କିଶନଙ୍କ ଏକ ଚମତ୍କାର ଇନିଂସ ଦେଖିବାକୁ ମିଳିଛି। ଚେନ୍ନାଇର ଅତ୍ୟାଧିକ ଗରମ ଓ ଆର୍ଦ୍ରତା ମଧ୍ୟରେ ଇଶାନ ୨୫୦ ରନ୍ର ଏକ ବିଶାଳ ଇନିଂସ ଖେଳି ଶେଷରେ ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ୍ ଫେରିଥିଲେ।
ଏହି ଚିତ୍ତାକର୍ଷକ ଇନିଂସକୁ ନେଇ କାମେଣ୍ଟ୍ରି କରୁଥିବା ପୂର୍ବତନ କ୍ରିକେଟର ବିବେକ ରଜଦାନ ଯୁବ ଓ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ରଜଦାନ କହିଛନ୍ତି, “ବୈଭବ ସୂର୍ଯ୍ୟବଂଶୀ, ଏବେ ଆପଣଙ୍କୁ ଇଶାନ କିଶନଙ୍କ ଭଳି ଖେଳାଳିଙ୍କଠାରୁ ଶିଖିବାକୁ ପଡ଼ିବ — ଥରେ କ୍ରିଜ୍ରେ ସେଟ୍ ହୋଇଗଲା ପରେ କିପରି ଏକ ବଡ଼ ଇନିଂସ ଖେଳାଯାଏ”।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଦୀର୍ଘ ସମୟ ବ୍ୟାଟିଂ କରିବା କେବଳ ଟେକ୍ନିକ୍ କିମ୍ବା ଧୈର୍ଯ୍ୟ ଉପରେ ନିର୍ଭର କରେନାହିଁ, ଏଥିପାଇଁ ଜବରଦସ୍ତ ‘ମ୍ୟାଚ୍ ଫିଟନେସ୍’ ମଧ୍ୟ ଦରକାର। କମ୍ ବୟସରୁ ବୈଭବ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ରେଡ୍-ବଲ୍ କ୍ରିକେଟ୍ରେ କ୍ରିଜ୍ରେ ସେଟ୍ ହେବା ପରେ ସେହି ଲୟକୁ ବଡ଼ ସ୍କୋରରେ ପରିଣତ କରିବା ଶିଖିବା ତାଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଛି।

