ଶୈବ, ଶାକ୍ତ ଓ ବୈଷ୍ଣବର ତ୍ରିବେଣୀ ସଙ୍ଗମ: କେବଳ ଓଡ଼ିଶାରେ ହିଁ କାହିଁକି ସମ୍ଭବ?
ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥଙ୍କ ଧାମ ଓଡ଼ିଶାରେ ଦୁର୍ଗାପୂଜା ଏକ ଭିନ୍ନ ଓ ନିଆରା ପରମ୍ପରାରେ ପାଳନ କରାଯାଏ।
ମାର୍କଣ୍ଡେୟ ପୁରାଣ ଅନୁସାରେ, ଖ୍ରୀଷ୍ଟପୂର୍ବ ୩୦୦ ରେ ଚେଦି ରାଜବଂଶର ରାଜା ସୁରଥ ଓଡ଼ିଶାରେ ପ୍ରଥମେ ଦୁର୍ଗାପୂଜାର ରୀତିନୀତି ଆରମ୍ଭ କରିଥିଲେ।
୧୧ଶ ଶତାବ୍ଦୀରେ ଗଙ୍ଗ ରାଜବଂଶର ରାଜା ଚୋଡ଼ଗଙ୍ଗ ଦେବ ମହିଷାମର୍ଦ୍ଦିନୀ ଭାବରେ ମା’ ଦୁର୍ଗାଙ୍କ ପ୍ରଥମେ ମୃଣ୍ମୟୀ (ମାଟି) ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ଏହା ଶ୍ରୀଜଗନ୍ନାଥ ଧାମ ପୁରୀରୁ ଆରମ୍ଭ ହୋଇଥିଲା, ଯାହା “ଗୋସାଣୀ ଯାତ୍ରା” ଭାବରେ ଜଣାଶୁଣା। ଏଭଳି ପରମ୍ପରା ଭାରତରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ।
ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ମା’ ଦୁର୍ଗା “ମା’ ବିମଳା” ରୂପରେ ପୂଜା ପାଆନ୍ତି, ଯିଏ କ୍ରିୟା ଶକ୍ତି, ଇଚ୍ଛା ଶକ୍ତି ଓ ମାୟା ଶକ୍ତିର ପ୍ରତୀକ।
ବିମଳାଙ୍କୁ “ଭୈରବୀ” ଏବଂ ଶ୍ରୀଜଗନ୍ନାଥଙ୍କୁ “ଭୈରବ” ଭାବରେ ବିବେଚନା କରାଯାଏ। ଶ୍ରୀଜଗନ୍ନାଥ (ଯିଏ ମାଧବ ଭାବରେ ମଧ୍ୟ ଜଣାଶୁଣା)ଙ୍କ ସହିତ ଦୁର୍ଗାଙ୍କର ଏହି ପୂଜା ପୁରୀ ଜଗନ୍ନାଥ ମନ୍ଦିରରେ “ଦୁର୍ଗା-ମାଧବ ପୂଜା”ର ପରମ୍ପରା ସୃଷ୍ଟି କରିଛି।
ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଜଗନ୍ନାଥ ସଂସ୍କୃତି ଏକାଧାରରେ ବୈଷ୍ଣବ, ଶାକ୍ତ ଏବଂ ଶୈବ ଧର୍ମର ତ୍ରିବେଣୀ ସଙ୍ଗମକୁ ପ୍ରତିନିଧିତ୍ୱ କରେ।
ଓଡ଼ିଶାରେ ଆମେ ୨ ରୁ ୨୦ ଟି ହାତ ଓ ବିଭିନ୍ନ ଆୟୁଧ (ଅସ୍ତ୍ରଶସ୍ତ୍ର) ଧାରଣ କରିଥିବା ମହିଷାମର୍ଦ୍ଦିନୀ ଦୁର୍ଗାଙ୍କ ପ୍ରତିମା ଦେଖିବାକୁ ପାଉ।
ଏହା ସହିତ ଓଡ଼ିଶାରେ ମୂର୍ତ୍ତିଗୁଡ଼ିକ ତିନୋଟି ଭିନ୍ନ ରୂପ ବା ଶୈଳୀରେ ଦେଖାଯାନ୍ତି:
୧. ମହିଷାସୁର କେବଳ ମହିଷ (ମହିଁଷ) ରୂପରେ।
୨. ଅସୁରର ମୁଣ୍ଡ ମହିଁଷର ଏବଂ ଶରୀର ମଣିଷର।
୩. ଅସୁର ସମ୍ପୂର୍ଣ୍ଣ ମଣିଷ ରୂପରେ, ଯାହା ପାଖରେ ମହିଁଷର କଟାମୁଣ୍ଡ ପଡ଼ିଥାଏ।
ଓଡ଼ିଶାରେ ଏହି ପୂଜା ବିଧିବଦ୍ଧ ଭାବେ ୩ ରୁ ୧୬ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ।
୩ ଦିନିଆ ପୂଜାକୁ “ତ୍ରିଦିନାତ୍ମକ” (ଅଷ୍ଟମୀ, ନବମୀ ଓ ଦଶମୀ) କୁହାଯାଏ।
୫ ଦିନିଆ ପୂଜାକୁ “ପଞ୍ଚଦିନାତ୍ମକ” (ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ) କୁହାଯାଏ।
୯ ଦିନିଆ ପୂଜାକୁ “ନବଦିନାତ୍ମକ” କୁହାଯାଏ, ଯାହା ଆଶ୍ୱିନ ଦ୍ୱିତୀୟାରୁ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲେ।
ଶେଷରେ ୧୬ ଦିନିଆ ପୂଜାକୁ “ଷୋଡ଼ଶଦିନାତ୍ମକ” ପୂଜା କୁହାଯାଏ, ଯାହା ମୂଳାଷ୍ଟମୀରୁ ଆରମ୍ଭ ହୋଇ ଦଶହରା ଦିନ ଶେଷ ହୁଏ।
ଦେବୀଙ୍କ ପ୍ରଥମ ରୂପ ଅତ୍ୟନ୍ତ ଦୁର୍ଲଭ, ଯାହା ଦ୍ୱିତୀୟ ଓ ତୃତୀୟ ଶତାବ୍ଦୀ ସମୟରେ ଦେଖିବାକୁ ମିଳୁଥିଲା।
ମହିଁଷ ଅସୁର ସହ ଦୁଇଟି ହାତ (ଦ୍ୱିଭୁଜା) ଥିବା ଦୁର୍ଗା ପ୍ରତିମା ଓଡ଼ିଶାର ଯାଜପୁରସ୍ଥିତ ବିରଜା ପୀଠରେ ଦେଖାଯାନ୍ତି।
ଚାରି ହାତ (ଚତୁର୍ଭୁଜା) ଥିବା ଦୁର୍ଗା ମୂର୍ତ୍ତି ଓଡ଼ିଶାର ପରଶୁରାମେଶ୍ୱର ମନ୍ଦିରରେ ମିଳିଥାଏ। ଏହି ମନ୍ଦିର ୭ମ ଓ ୮ମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା।ଛଅ ହାତ (ଷଡ଼ଭୁଜା) ବିଶିଷ୍ଟ ଦେବୀ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଦେଖାଯାନ୍ତି, ଯେପରିକି ପୁରୀର ସୋମେଶ୍ୱର ମନ୍ଦିର ଏବଂ ଭୁବନେଶ୍ୱରର ପରଶୁରାମେଶ୍ୱର ମନ୍ଦିର।
ଏହା ପରେ ଆସନ୍ତି ୮ ଓ ୧୦ ହାତ ବିଶିଷ୍ଟ ଦେବୀ। ଏହି ପ୍ରତିମାଗୁଡ଼ିକ ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି।
ପୁରୀରେ ଦୁର୍ଗାପୂଜା “ଗୋସାଣୀ ଯାତ୍ରା” ଭାବରେ ପ୍ରସିଦ୍ଧ। ଏହି ସହରରେ ଅଷ୍ଟଭୁଜା ଓ ଦଶଭୁଜା ମୂର୍ତ୍ତି ପାରମ୍ପରିକ ରୀତିନୀତି ସହ ପୂଜା ପାଆନ୍ତି।
ଏହି ମୂର୍ତ୍ତିଗୁଡ଼ିକ ମହିଷାମର୍ଦ୍ଦିନୀ ରୂପର, ଯେଉଁଥିରେ ମା’ ମହିଁଷ ମୁଣ୍ଡ ଓ ମଣିଷ ଶରୀର ଥିବା ଅସୁରକୁ ବଧ କରୁଛନ୍ତି। ପୁରୀରେ ଗୋସାଣୀ (ଦୁର୍ଗା)ଙ୍କ ମୁଖମଣ୍ଡଳ ଏପରି ଭାବେ ଗଢ଼ାଯାଇଥାଏ, ଯାହା ଦେଖିଲେ ଲାଗେ ଯେ ଦେବୀ ମହିଷାସୁର ଉପରେ କଡ଼ା ନଜର ରଖିଛନ୍ତି ଏବଂ ଭୟଙ୍କର ଯୁଦ୍ଧରେ ଲିପ୍ତ ଅଛନ୍ତି। ପୁରୀକୁ ଛାଡ଼ି ଅନ୍ୟ ସ୍ଥାନଗୁଡ଼ିକରେ ଦେବୀଙ୍କ ମୁଖାରବିନ୍ଦ ପାଶ୍ୱର୍ ଦୃଶ୍ୟ (profile) ରେ ଦେଖାଯାଏ।
ଏହା ପରେ ୧୨ ଟି ହାତ (ଦ୍ୱାଦଶଭୁଜା) ଥିବା ମୂର୍ତ୍ତି ଆସନ୍ତି। ଏହି ପ୍ରକାରର ଦୁର୍ଗାମୂର୍ତ୍ତି ଓଡ଼ିଶାର ଯାଜପୁରସ୍ଥିତ ଧର୍ମଶାଳା ଏବଂ ଭୁବନେଶ୍ୱରର ବିନ୍ଦୁସାଗର ନିକଟରେ ଦେଖିବାକୁ ମିଳନ୍ତି।
ସାଧାରଣତଃ ଦେବୀ ଦୁର୍ଗା ଭଗବାନ ଶିବଙ୍କ ସହିତ ଜଡ଼ିତ। କିନ୍ତୁ କେବଳ ଓଡ଼ିଶାରେ ହିଁ ମା’ ଦୁର୍ଗା ବିଷ୍ଣୁଙ୍କ ଅବତାର ଶ୍ରୀ ଜଗନ୍ନାଥଙ୍କ ସହିତ ଯୋଡ଼ି ହୋଇଛନ୍ତି। ଏହିଠାରୁ ହିଁ “ଦୁର୍ଗା-ମାଧବ” ପରମ୍ପରାର ସୃଷ୍ଟି।
ଲେଖା: ସୋମନାଥ ମିଶ୍ର।
ଫୋଟୋ /ସାଇ ଶାଶ୍ୱତ ମିଶ୍ର














